ପ୍ରାକ୍‌ ନିର୍ବାଚନୀ ହିଂସାକୁ ନେଇ ଯାଜପୁର ଜିଲ୍ଲାର ଦୁଇଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଭିନ୍ନ ନିଷ୍ପତ୍ତି ହୋଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ ରଖାଯାଇଥିବା ବେଳେ ମୁଗୁପାଳସ୍ଥିତ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ବାତିଲ କରାଯାଇଛି ।

ବ୍ୟାସନଗର କଲେଜରେ ନିର୍ବାଚନ କମିଟି ଓ ଏକାଡେମିକ୍ କମିଟିର ବୈଠକ ପରେ ନିର୍ବାଚନ ସ୍ଥଗିତ ରଖିବା ସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି । ଶୁକ୍ରବାର ସକାଳ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ କୁହାଯାଇଛି । ବୁଧବାର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଳମ୍ବିତ ରାତିରେ କଲେଜ ଅଧ୍ୟକ୍ଷଙ୍କ ବାସଭବନ ଓ ବାଳକ ଛାତ୍ରାବାସ ଉପରକୁ ବୋମାମାଡ଼ ହୋଇଥିଲା । ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ କଲେଜରେ ପହଞ୍ଚି ତଦନ୍ତ କରିଛି ।

ସେହିପରି, ମୁଗୁପାଳ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘର ସର୍ବସମ୍ମତିକ୍ରମେ ନିର୍ବାଚନ ବାତିଲ କରାଯାଇଥିବା କଲେଜ ଅଧ୍ୟକ୍ଷଙ୍କ ନୋଟିସରେ କୁହାଯାଇଛି । ତେବେ ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ । ନିର୍ବାଚନ ବାତିଲର କାରଣ ସ୍ପଷ୍ଟ କରିବା ସହ ପୁନର୍ବିଚାର କରି ନିର୍ବାଚନ କରାଇବାକୁ ସେମାନେ ଦାବି କରିଛନ୍ତି । ନିର୍ବାଚନ ନହେଲେ ଆନ୍ଦୋଳନ କରିବାକୁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ଖବର ପାଇ କୁଆଖିଆ ପୋଲିସ କଲେଜରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *