ଆଜି ରାଜ୍ୟରେ କଂଗ୍ରେସ ଓ ବାମଦଳ ପକ୍ଷରୁ ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ଆହ୍ୱାନକୁ ଜନସାଧାରଣ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସାରା ରାଜ୍ୟରେ ଜନଜୀବନ ସ୍ୱାଭାବିକ ରହିବା ସହ ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ବନ୍ଦ ବିଫଳ ହେବା ପରେ ବିରୋଧୀ ଦଳର କର୍ମୀମାନେ ରାଜରାସ୍ତାରେ ଆତଙ୍କରାଜ ଓ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିବା ନେଇ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏହି ବନ୍ଦ ପାଳନ ପ୍ରମାଣିତ କରୁଛି ଯେ, ଯେଉଁ ପ୍ରସଙ୍ଗରେ ସେମାନେ ରାସ୍ତାକୁ ଓହ୍ଲାଇ ଥିଲେ ତାହାକୁ ଲୋକମାନେ ସମର୍ଥନ କରିନାହାନ୍ତି । କିନ୍ତୁ ଯେଉଁଭଳି ଭାବେ କିଛିି ସ୍ଥାନରେ କଂଗ୍ରେସ ଓ ବାମ ଦଳର ଗୁଣ୍ଡାମାନେ ଆତଙ୍କରାଜ କରି ସାଧାରଣ ଲୋକଙ୍କୁ ଭୟଭୀତ କରିଛନ୍ତି, ଏହାକୁ ଓଡ଼ିଶାର ଲୋକେ କେବେବି କ୍ଷମା ଦେବେନାହିଁ । ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ଭିଡିଓରୁ ଜଣାପଡ଼ୁଛି ଯେ, କେଉଁଭଳି ଭାବେ କିଏ ଡାକ୍ତରଖାନା ଯାଉଛି ତାକୁ କଂଗ୍ରେସ କର୍ମୀମାନେ ଅଟକାଇ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି, କିଏ ନିଜ ପିଲାଙ୍କୁ ସ୍କୁଲରେ ଛାଡ଼ିବାକୁ ଯାଉଛି ତାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଏପରିକି ଗର୍ଭବତୀ ମହିଳା ମଧ୍ୟ ଏହି କଂଗ୍ରେସ ଓ ଇଣ୍ଡି ଗଠବନ୍ଧନର ଅସଭ୍ୟ ନେତା ଓ କର୍ମୀମାନଙ୍କର ଅରାଜକତା ଆଚରଣରୁ ବର୍ତୀ ନାହନ୍ତି । ଶାନ୍ତିପୂର୍ଣ୍ଣ ଓଡ଼ିଶା ଲୋକ ଏହାର ଉଚିତ ଜବାବ୍ ଦେବେ । ଅନୀଲ ବିଶ୍ୱାଳ ଆଉ ମଧ୍ୟ କହିଛନ୍ତି ଯେ, ସମ୍ବିଧାନ ବଞ୍ଚାଇବା ନାରା ଦେଇ ରାସ୍ତାରେ ଆନ୍ଦୋଳନ କରୁଥିବା କଂଗ୍ରେସ ଦଳ ସ୍ପଷ୍ଟ କରିବା ଉଚିତ୍ ଯେ, ଏହିଭଳି ହିଂସାତ୍ମକ ଆଚରଣ ସମ୍ବିଧାନର କେଉଁ ଧାରାରେ ଉଲ୍ଲେଖ ରହିଛି? କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ବନାମ୍ ଭରତ କୁମାରଙ୍କ ମାମଲାରେ ସୁପ୍ରିମ କୋର୍ଟ ରାୟରେ କହିଥିଲେ ଯେ, କୌଣସି ରାଜନୈତିକ ଦଳ କାହାକୁ ଜୋର୍ ଜବରଦସ୍ତି କରି ବନ୍ଦ ପାଳନ କରିପାରିବେ ନାହିଁ । ଯଦି ବିରୋଧି ଦଳମାନଙ୍କର ସମ୍ବିଧାନ ପ୍ରତି ସମ୍ମାନ ଥାନ୍ତା ତାହାଲେ ଆଜି ସେମାନେ ସୁପ୍ରିମକୋର୍ଟଙ୍କ ରାୟର ବିରୋଧାଚରଣ କରି ନ ଥାନ୍ତେ । ଆଜି ବିରୋଧି ଦଳମାନଙ୍କର ଅରାଜକତାର ଭିଡିଓ ସବୁଦିନ ପାଇଁ ଓଡ଼ିଶା ଲୋକମାନଙ୍କ ଆଗରେ ସେମାନଙ୍କ ହିଂସାତ୍ମକ ଆଚରଣର ପ୍ରମାଣ ହୋଇ ରହିଥିବ । ଓଡ଼ିଶାରେ ୦.୧୪ ପ୍ରତିଶତ ଭୋଟ ପାଉଥିବା ବାମ ଦଳ କହୁଛି ଯେ, ସେମାନଙ୍କ ଭୋଟ ଚୋରି ହୋଇଗଲା ବୋଲି । ୧୯୯୫ ମସିହା ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରତ୍ୟାଖ୍ୟାତ ହୋଇ ଆସିଥିବା ତଥା ନିର୍ବାଚନରୁ ନିର୍ବାଚନ ଭୋଟ ପ୍ରତିଶତ ହରାଉଥିବା କଂଗ୍ରେସ ଦଳ କହୁଛି ଯେ ଏସ୍ଆଇଆର୍ ପାଇଁ ସେମାନେ ନିର୍ବାଚନ ହାରିଯାଉଛନ୍ତି । ବାସ୍ତବରେ ଯେଉଁମାନେ ଭୋଟ ଚୋରିର ନାରା ଦେଉଛନ୍ତି ସେମାନେ ଜାଣିବା ଆବଶ୍ୟକ ଯେ ଲୋକମାନେ ଆଉ ଚୋରଙ୍କୁ ଭୋଟ ଦେଉନାହାନ୍ତି ବୋଲି ଅନୀଲ ବିଶ୍ୱାଳ କହିଛନ୍ତି । Post navigation Today Odisha Bandh: ଓଡ଼ିଶା ବନ୍ଦ ଅଭୂତପୂର୍ବ ସଫଳ; ରାଜ୍ୟବାସୀଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଲା ଇଣ୍ଡିଆ ବ୍ଲକ୍ Puri ABADHA Scheme: ଅବଢ଼ା ଯୋଜନା ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୬୫୮.୦୩ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ