ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ବିଜ୍ଞପ୍ତି ଅନୁଯାୟୀ ୨୦୨୩-୨୪ ବର୍ଷରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଥିବା ଘୋଷଣା କରାଯାଇଛି। ସରକାରଙ୍କ ଏହି ନୂତନ ନିର୍ଦ୍ଦେଶାନାମା ଅନୁସାରେ, ୨୦୨୩-୨୪ ବର୍ଷରେ ସଠିକ୍ ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତ ହୋଇ କାର୍ଯ୍ୟରତ ଥିବା କନିଷ୍ଠ ଶିକ୍ଷକମାନଙ୍କୁ ୨୦୨୬ ଜାନୁଆରୀ ୧ ତାରିଖରୁ ଏଲିମେଣ୍ଟାରୀ କ୍ୟାଡରର ‘ଲେଭଲ-V(A)’ ସହକାରୀ ଶିକ୍ଷକ ଭାବେ ନିୟମିତ କରାଯିବ। ତେବେ ଶିକ୍ଷକମାନଙ୍କର ପ୍ରାରମ୍ଭିକ ଯୋଗଦାନ ତାରିଖଠାରୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାଳକୁ ଚୁକ୍ତିଭିତ୍ତିକ ବା ସ୍କେମାଟିକ ସେବା ଭାବେ ଗ୍ରହଣ କରାଯିବ। ଏହି ପୂର୍ବ କାର୍ଯ୍ୟକାଳ ପାଇଁ କୌଣସି ନିୟମିତ କ୍ୟାଡର ସିନିୟରିଟି ବା ଆନୁଷଙ୍ଗିକ ସେବା ସୁବିଧା ଦାବି କରାଯାଇପାରିବ ନାହିଁ। ୨୦୨୬ ଜାନୁଆରୀ ୧ ରୁ ଏହି ଶିକ୍ଷକମାନେ ନିୟମିତ ହେବା ସହ ‘ଲେଭଲ-V(A)’ ଅସିଷ୍ଟାଣ୍ଟ ଟିଚର ପଦବୀ ଅନୁଯାୟୀ ନିୟମିତ ଦରମା ଓ ସରକାରୀ ନିୟମାନୁସାରେ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ପ୍ରାପ୍ତ ହେବେ। ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳଙ୍କ ଆଦେଶକ୍ରମେ ଗଣଶିକ୍ଷା ବିଭାଗ ଶାସନ ସଚିବ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ଦୀର୍ଘ ଦିନରୁ ଆଶା ରଖିଥିବା ହଜାର ହଜାର ଶିକ୍ଷକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଏହା ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। Post navigation Odisha Bandh on Oct 8: ଅକ୍ଟୋବର ୮ରେ ‘ଓଡ଼ିଶା ବନ୍ଦ’: ସଫଳ କରିବାକୁ ଇଣ୍ଡିଆ ମେଣ୍ଟର ନିବେଦନ Congress Warns of More Officer Exits: ସନ୍ଥ ଗୋପାଲନ ଝଲକ ମାତ୍ର, ଆଗକୁ ବହୁ ଅଫିସର ଚାକିରି ଛାଡ଼ିବେ: କଂଗ୍ରେସ