କେନ୍ଦ୍ର ସରକାରଙ୍କ ‘ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ’ କୁ କଡ଼ା ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର PMG ଠାରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରହିଥିବା ବେଳେ ବିଜୁ ଯୁବ, ଛାତ୍ର, ମହିଳା ଓ କୃଷକ ମୋର୍ଚ୍ଛାର ହଜାର ହଜାର ନେତା ଓ କର୍ମୀ ଉପସ୍ଥିତ ରହି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।

ଏହି ବିକ୍ଷୋଭ ସମାବେଶରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଓଡ଼ିଶାର ସ୍ୱାର୍ଥ, ଅଧିକାର ଓ ସୁରକ୍ଷା ସହ କୌଣସି ପରିସ୍ଥିତିରେ ବି ବୁଝାମଣା କରାଯିବ ନାହିଁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୃଢ଼ ଚେତାବନୀ ଦେଇଛନ୍ତି ।

ସଭାକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ମାଟି, ପାଣି ଓ ସମ୍ପଦ ପାଇଁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଏକାଠି ହେବାକୁ ପଡ଼ିବ । ନିଜର ପ୍ରତିକ୍ରିୟାରେ ସେ ସ୍ପଷ୍ଟ କରିଛନ୍ତି ଯେ ଏହି ବିବାଦୀୟ MMDR ଆଇନକୁ କୌଣସି ସ୍ଥିତିରେ ଆମ ରାଜ୍ୟରେ ଲାଗୁ କରାଇ ଦିଆଯିବ ନାହିଁ । ଏହି ଆଇନ ଦ୍ୱାରା ରାଜ୍ୟର ଆଗାମୀ ଭବିଷ୍ୟତ ଓ ଯୁବପିଢ଼ି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବାରୁ, ଆମର ଆଗାମୀ ‘ଜେନ୍-ଜି’ ଓ ଓଡ଼ିଶାବାସୀ ଏହାକୁ କଦାପି ସହ୍ୟ କରିବେ ନାହିଁ କିମ୍ବା କ୍ଷମା ଦେବେ ନାହିଁ । ଆମର Gen G ର ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ।

ନବୀନ ଆଉ ମଧ୍ୟ କହିଛନ୍ତି MMDR Amendment Bill ଏକ ସାଧାରଣ Bill ନୁହେଁ। ରାଜ୍ୟର ଅଧିକାର ସହ ଏ Bill ଜଡିତ। ଓଡିଶାର ଖଣି, ଓଡିଶାର ଜମି ଉପରେ ଓଡିଶା ବାସୀ ହେଉଛନ୍ତି ମାଲିକ।  ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ୱପୂର୍ଣ୍ଣ Bill ପାର୍ଲିଆମେଣ୍ଟ ରେ Pass ହୋଇଗଲା। ଆଉ ଆମର କୋଡିଏ BJP MP ଚୁପ ବସିଲେ କାହା ସ୍ୱାର୍ଥରେ? ଓଡିଶା ସରକାର ବି ଚୁପ ରହିଲେ। କାହା ଡର ରେ?

ଏଥି ସହିତ ବିଧାନସଭାର Special Session ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି। କିନ୍ତୁ ଉତ୍ତର ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ MMDR Amendment Act କୁ ବିରୋଧ କରି Resolution ପାଇଁ ପୁଣି ଚିଠି ଲେଖିଲି । କିନ୍ତୁ ଉତ୍ତର ନାହିଁ। ନାହିଁ ନାହିଁର ଏ ସରକାର। କେବଳ ବାକ୍ୟବୀର। ଏହି Act ପାଇଁ ଓଡିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ।ଓଡିଶା ର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି? ଏ ମାଟି ଠାରୁ Party କେବେ ବି ବଡ଼ ହୋଇ ପାରିବ ନାହିଁ । ଚୌକି ଆଜି ଅଛି କାଲି ନ ଥିବ। କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ। Gen G ଆପଣଙ୍କୁ କ୍ଷମା ଦେବେ ନାହିଁ । ଓଡିଶା ବାସୀ କ୍ଷମା ଦେବେନାହିଁ। ଓଡିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ସାଢ଼େ ୪ କୋଟି ଓଡ଼ିଆଙ୍କ ଅଧିକାର ଓ ସ୍ୱାଭିମାନ ପାଇଁ ଏହି ଲଢ଼େଇକୁ ଆହୁରି ଜୋରଦାର କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ମାଟିର ହକ୍ ପାଇଁ ହେଉଥିବା ମହାସଂଗ୍ରାମରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ, ଅନୁଷ୍ଠାନ ଓ ସାଧାରଣ ନାଗରିକ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି । ଏହି ପ୍ରତିବାଦ ସମାବେଶରେ ଦଳର ଅନେକ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ହଜାର ହଜାର କର୍ମୀ ଉପସ୍ଥିତ ରହି ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

 

ଏହି ନୂତନ MMDR ସଂଶୋଧନ ଆଇନକୁ ବିଜେଡି ସମ୍ପୂର୍ଣ୍ଣ ଭାବେ ଏକ ‘କଳା ଆଇନ’ ଆଖ୍ୟା ଦେଇଛି। ଦଳର ଅଭିଯୋଗ ଅନୁସାରେ, ଏହି ସଂଶୋଧିତ ଆଇନ ବଳରେ ଖଣିଜ ସମ୍ପଦପୂର୍ଣ୍ଣ ଜମି ଉପରେ ରାଜ୍ୟ ସରକାରଙ୍କର ଯେଉଁ ସାଂବିଧାନିକ ଓ ପ୍ରାକୃତିକ ଅଧିକାର ରହିଥିଲା, ତାହାକୁ କୋହଳ କରାଯାଇ କେନ୍ଦ୍ରୀୟ ନିୟନ୍ତ୍ରଣକୁ ବୃଦ୍ଧି କରାଯାଉଛି। ସାରା ଦେଶର ମୋଟ ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ କେବଳ ଓଡ଼ିଶାରେ ହିଁ ଗଚ୍ଛିତ ଥିବାରୁ ଏହି ଆଇନ ଦ୍ୱାରା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ୱାର୍ଥ ସବୁଠାରୁ ଅଧିକ ପ୍ରଭାବିତ ହେବ।

ତେଣୁ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ସରକାର ଏହି ବିବାଦୀୟ ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ କିମ୍ବା ଏହାର କାର୍ଯ୍ୟକାରିତାକୁ ସ୍ଥଗିତ ରଖନ୍ତୁ ବୋଲି ଦଳ ଦାବି କରିଛି। ଏହାସହ ଏହି ଆଇନ ବିରୋଧରେ ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରି କେନ୍ଦ୍ର ନିକଟକୁ ପଠାଇବା ପାଇଁ ବିଜେଡି ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛି।

Leave a Reply

Your email address will not be published. Required fields are marked *