ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ପ୍ରତ୍ୟେକ ସୋମବାରକୁ ‘ଅଣ ବୈଠକ ଦିବସ’ ଭାବେ ପାଳନ କରାଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ବିଧିବଦ୍ଧ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ସମୟରେ ସୋମବାର ଦିନ ଉଚ୍ଚ ପଦାଧିକାରୀମାନେ ବିଭିନ୍ନ ବୈଠକରେ ବ୍ୟସ୍ତ ରହୁଥିବାରୁ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ଲକ୍ଷ୍ୟ କରାଯାଉଥିଲା। ଦୂରଦୂରାନ୍ତରୁ ନିଜର ସମସ୍ୟା ନେଇ ଆସୁଥିବା ସାଧାରଣ ନାଗରିକମାନେ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଅତି ଜରୁରୀ ପରିସ୍ଥିତି ନଥିଲେ ସୋମବାର ଦିନ କୌଣସି ପ୍ରକାରର ବୈଠକ ନ ରଖିବାକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି।

ଏହି ନୂତନ ନିୟମ ଲାଗୁ ହେବା ଫଳରେ ସମସ୍ତ ଉଚ୍ଚ ପଦାଧିକାରୀ ସାପ୍ତାହିକ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିବେ। ଏହାଦ୍ୱାରା ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିବ ଏବଂ ପ୍ରଶାସନିକ କାର୍ଯ୍ୟପ୍ରଣାଳୀ ଆହୁରି ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ ହୋଇପାରିବ।

Leave a Reply

Your email address will not be published. Required fields are marked *