ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହହୀନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ‘ଆୱାସପ୍ଲସ-୨୦୨୪’ ସର୍ଭେ ମାଧ୍ୟମରେ ରାଜ୍ୟସାରା ମୋଟ ୩୭ ଲକ୍ଷ ୮୯ ହଜାର ୨୩୪ ଟି ସମ୍ଭାବ୍ୟ ପରିବାରର ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ସର୍ଭେ ପରେ ପ୍ରାଥମିକ ପର୍ଯ୍ୟାୟ ଯାଞ୍ଚ ଏବଂ ଜିଲ୍ଲା ସ୍ତରୀୟ ଆପିଲେଟ୍ କମିଟିର ଅନୁମୋଦନ କ୍ରମେ ୨୮ ଲକ୍ଷ ୪୨ ହଜାର ୦୨୦ ଟି ପରିବାରକୁ ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

ଏହି ଯୋଗ୍ୟ ହିତାଧିକାରୀମାନଙ୍କୁ ଗୃହ ମଞ୍ଜୁର କରିବା ପାଇଁ ବର୍ତ୍ତମାନ ସ୍ଥାୟୀ ଅପେକ୍ଷା ତାଲିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁରହିଛି। କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ଲକ୍ଷ୍ୟସାଧନ ପ୍ରାପ୍ତ ହେବା କ୍ଷଣି ହିଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନୂତନ ଗୃହଗୁଡ଼ିକର ମଞ୍ଜୁରୀପତ୍ର ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

ଅପରପକ୍ଷରେ, ଗତ କିଛି ବର୍ଷର ସ୍ଥିତି ସମ୍ପର୍କରେ ସ୍ପଷ୍ଟ କରି ମନ୍ତ୍ରୀ ଜଣାଇଛନ୍ତି ଯେ ଆର୍ଥିକ ବର୍ଷ ୨୦୨୫-୨୬ ଏବଂ ୨୦୨୬-୨୭ ମଧ୍ୟରେ ରାଜ୍ୟରେ ଏହି ଯୋଜନା ଅଧୀନରେ କୌଣସି ନୂତନ ଗୃହ ମଞ୍ଜୁର କରାଯାଇ ନଥିଲା। ତେବେ ବର୍ତ୍ତମାନର ଏହି ବୃହତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଲକ୍ଷ ଲକ୍ଷ ଗ୍ରାମୀଣ ପରିବାରଙ୍କ ନିଜସ୍ୱ ପକ୍କା ଘର ସ୍ୱପ୍ନ ପୂରଣ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *