ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ଦଳର ପ୍ରବଳ ହଙ୍ଗାମା ଓ ସ୍ଲୋଗାନବାଜି ଯୋଗୁଁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଶ୍ନକାଳ ଚାଲିପାରି ନାହିଁ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ସୃଷ୍ଟି ହୋଇଥିବା ଗୃହ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ୧:୧୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ରହିଛି । ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସହ ଦିବଙ୍ଗତ ପୂର୍ବତନ ବିଧାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମାମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ ଓ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ଏବଂ ଗୃହର ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିଥିଲେ। ତେବେ ଶୋକ ପ୍ରସ୍ତାବ ଶେଷ ହୋଇ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା ଆରମ୍ଭ କରିଥିଲେ। ବିଶେଷ କରି MMDR ବିଲ୍ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ଗୃହରେ ସ୍ୱାଭାବିକ ସ୍ଥିତି ଫେରିନଆସିବାରୁ ଏବଂ ହୋ-ହାଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ୧:୧୦ ଯାଏଁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ। Post navigation BSE Odisha Reschedules Class V Upper Primary Scholarship Exam to October 3 Panchayat Reorganization: ପଞ୍ଚାୟତ ପୁନର୍ଗଠନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ ହୋଇନାହିଁ: ପଞ୍ଚାୟତରାଜ ମନ୍ତ୍ରୀ