ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । ଗତ ୬ ଘଣ୍ଟାରେ ଏହା ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନ ଏହି ଅବପାତ ଗୋପାଳପୁର ଓ ପୁରୀଠାରୁ ସମାନ ୨୩୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପାଟନମରୁ ୨୩୦ କିମି ଏବଂ ବିଶାଖାପାଟଣାରୁ ୩୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ବହୁ ସମ୍ଭାବନା ରହିଛି ।

ଏହି ଗଭୀର ଅବପାତ ୨୩ ତାରିଖ ରାତିରୁ ୨୪ ତାରିଖ ଭୋର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ । ମୁଖ୍ୟତଃ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ସମ୍ପୃକ୍ତ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଅନ୍ୟପଟେ ଆଜି ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ତେବେ ଆସନ୍ତାକାଲିଠୁ ବଢିବ ବର୍ଷା ବିପଦ। କାଲି ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।

ସେହିଭଳି ୨୪ ତାରିଖରେ ୪ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ରହିଛି ରେଡ୍ ଆଲର୍ଟରେ । ୨୩ ଓ ୨୪ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ୫୫ରୁ ୬୫ କିମି ବେଗରେ ପବନ ବହିପାରେ। ଗଷ୍ଟିଂ ସ୍ପିଡ୍ ବା ଝଟକା ପବନ ସର୍ବାଧିକ ୭୫ କିଲୋମିଟର ବେଗରେ ହୋଇପାରେ।

 

Leave a Reply

Your email address will not be published. Required fields are marked *