ଖଣି ଓ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ (MMDR Act) କୁ ନେଇ ରାଜ୍ୟ ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି ବିଜୁ ଜନତା ଦଳ (ବିଜେଡି)। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁ କେନ୍ଦ୍ରର ଏହି ଆଇନକୁ କଡ଼ା ସମାଲୋଚନା କରିବା ସହ ଅର୍ଥନୈତିକ ଓ ବାଣିଜ୍ୟିକ ଅବରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି କେନ୍ଦ୍ର ସରକାର ତୁରନ୍ତ ଏହି MMDR ଆଇନକୁ ପ୍ରତ୍ୟାହାର କରନ୍ତୁ, ନଚେତ୍ ବିଜେଡି ରାଜପଥକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବ। ଏହି ବିରୋଧ କେବଳ ସାଧାରଣ ପ୍ରତିବାଦରେ ସୀମିତ ରହିବ ନାହିଁ; ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ପୂର୍ଣ୍ଣାଙ୍ଗ ଅର୍ଥନୈତିକ ଓ ବାଣିଜ୍ୟିକ ଅବରୋଧ କରାଯିବ।

ଅରୁଣ ସାହୁ ଆଉ ମଧ୍ୟ କହିଛନ୍ତି ୨୦୦୫ ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବାକିଆ ରାଜସ୍ୱ ହରାଇଛି। ଓଡ଼ିଶାରେ ପ୍ରଚୁର ଖଣି ଓ ଖଣିଜ ସମ୍ପଦ ଥିବା ହେତୁ ସାରା ବିଶ୍ୱ ଓ ଦେଶର ବଡ଼ ବଡ଼ ପୁଞ୍ଜି ନିବେଶକମାନେ ରାଜ୍ୟକୁ ଆସୁଥିଲେ। ଖଣି ସମ୍ପର୍କିତ କ୍ଷମତା ଯେତେବେଳେ କେନ୍ଦ୍ର ସରକାରଙ୍କ ହାତକୁ ଚାଲିଗଲା, ସେତେବେଳେ ରାଜ୍ୟର ସ୍ୱାର୍ଥ ବ୍ୟାହତ ହେଉଛି ଏବଂ ନିବେଶକମାନେ ଆଉ ଆସିବେ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶାର ସମ୍ପଦ ଏବଂ ଅଧିକାର ରକ୍ଷା ପାଇଁ ବିଜେଡି ଏହି ସଂଗ୍ରାମ ଜାରି ରଖିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି।

 

Leave a Reply

Your email address will not be published. Required fields are marked *