ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ (ଓମ୍ଫେଡ୍) ନିଜର ଉତ୍ପାଦ ଗୁଡ଼ିକର ପରିସର ବୃଦ୍ଧି କରିବାକୁ ଯୋଜନା କରୁଛି। ଏହି କ୍ରମରେ ଓମଫେଡ୍ ପକ୍ଷରୁ ପ୍ୟାକେଜ୍ଡ ପାନୀୟ ଜଳ ଏବଂ ବିଭିନ୍ନ ନୂଆ ସ୍ୱାଦର ଆଇସକ୍ରିମ୍ ବଜାରକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୋମବାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରସ୍ତାବିତ ଉତ୍ପାଦଗୁଡ଼ିକ ସମ୍ପର୍କରେ ଓମଫେଡ୍ ବୋର୍ଡ ସହିତ ଆଲୋଚନା ଚାଲିଛି। ବୋର୍ଡର ଅନୁମୋଦନ ମିଳିବା ପରେ ଏଗୁଡ଼ିକୁ ବଜାରରେ ଉନ୍ମୋଚନ କରାଯିବ। ଗ୍ରାହକମାନଙ୍କୁ ନୂତନ ଉତ୍ପାଦ ଯୋଗାଇଦେବା ଏବଂ ଓମଫେଡ୍ର ବ୍ୟବସାୟିକ ପରିସରକୁ ଆହୁରି ବ୍ୟାପକ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୀର, ଛେନା ଓ ପନୀର ଆଦି ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣ ନେଇ ଅଭିଯୋଗ ଆସୁଥିବା ବେଳେ ମନ୍ତ୍ରୀ ଓମଫେଡ୍ କ୍ଷୀରର ଗୁଣବତ୍ତା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଓମଫେଡ୍ କଠୋର ଗୁଣବତ୍ତା-ନିୟନ୍ତ୍ରଣ ବ୍ୟବସ୍ଥା ଅନୁସରଣ କରେ। ଗ୍ରାହକଙ୍କ ପାଖକୁ ପଠାଯିବା ପୂର୍ବରୁ କ୍ଷୀରକୁ ତିନୋଟି ପର୍ଯ୍ୟାୟରେ ଯାଞ୍ଚ କରାଯାଇଥାଏ। କ୍ଷୀରରେ ଫ୍ୟାଟ୍ ପରିମାଣ ଭଳି ମାନଦଣ୍ଡଗୁଡ଼ିକୁ ଯାଞ୍ଚ କରାଯାଇ ଗୁଣବତ୍ତା ନିଶ୍ଚିତ କରାଯାଏ। କୌଣସି ପ୍ରକାର ଅପମିଶ୍ରଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଯଦି କୌଣସିଠାରେ ଅପମିଶ୍ରଣ ଧରାପଡ଼େ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। Post navigation MMDR Act Amendments: MMDR ଆଇନ ପ୍ରତ୍ୟାହାର ଦାବି: ଅର୍ଥନୈତିକ ଓ ବାଣିଜ୍ୟିକ ଅବରୋଧ କରିବାକୁ ବିଜେଡିର ଚେତାବନୀ