ରାଜ୍ୟର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କାର୍ଯ୍ୟକ୍ଷମ, ସୁସଂଗଠିତ ଏବଂ କ୍ୟାବିନେଟ୍ ଅନୁମୋଦିତ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତି ମାସରେ ଦୁଇଥର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବିଷୟଗୁଡ଼ିକରେ ନିଷ୍ପତ୍ତି ନେବାରେ ହେଉଥିବା ବିଳମ୍ବକୁ ହ୍ରାସ କରିବା ଏବଂ କାର୍ଯ୍ୟପନ୍ଥାକୁ ସରଳୀକୃତ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗକୁ ସେମାନଙ୍କର ପ୍ରସ୍ତାବ ଆଗୁଆ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ ସମସ୍ତ ବିଭାଗ କ୍ୟାବିନେଟ୍ ନୋଟ୍ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବେ। ଏହାଦ୍ୱାରା ପ୍ରସ୍ତାବଗୁଡ଼ିକର ସଠିକ୍ ତର୍ଜମା  ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ ଏବଂ ବୈଠକ ସମୟରେ ଠିକ୍‌ ସମୟରେ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ। କେବଳ ପ୍ରସ୍ତାବ ମଞ୍ଜୁର କରିବା ନୁହେଁ, ଅନୁମୋଦିତ ଯୋଜନାଗୁଡ଼ିକ କେତେଦୂର ଆଗେଇଲା, ସେଥିପାଇଁ ବିଭାଗୀୟ ସଚିବମାନେ ନିୟମିତ ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *