ସରକାର ଭାରତୀୟ ଜନତା ପାର୍ଟିର। ମୁଖ୍ୟମନ୍ତ୍ରୀ ସ୍ୱାଭାବିକ ଭାବେ ଭାଜପାର। କୌଣସି ଅଧିକାରୀଙ୍କ ବିରୋଧରେ ଶାସକ ଦଳର କୁଜି କିମ୍ବା ବଡ଼ ନେତା ପର୍ଯ୍ୟନ୍ତ ଯଦି କାହାର କିଛି ଅଭିଯୋଗ ଥାଏ, ତେବେ ଏବାବଦରେ ନିଜ ଦଳର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ ନୁହେଁ କି? କିନ୍ତୁ ଏବେ ରାଜପାଟରେ ଏକ ଟ୍ରେଣ୍ଡ ହୋଇଗଲାଣି ଯେ ଅଫିସରଙ୍କ ରୁମ୍ ଭିତରେ ପଶି, ଅଶାଳୀନ ଆଚରଣ କରି, ଗାଳିଗୁଲଜ କରି ଆରାମରେ ରହି। ଏମିତି ଏକ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ଘଟିଛି ଶୁକ୍ରବାର ଡେରାବିଶ ବ୍ଲକରେ। ଲୋକ ସରକାରଙ୍କୁ ଅପଦସ୍ତ କରିଥିବା ନେତା ହେଲେ ଉମାକାନ୍ତ ପଟ୍ଟନାୟକ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ସରକାର ଏବଂ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି କାହିଁକି? ଉମା ଜଣେ ପ୍ରତିନିଧି ନୁହଁନ୍ତି। ଗତଥର ନିର୍ବାଚନ ଲଢ଼ିନାହାନ୍ତି। ତାଙ୍କୁ ଦଳ ଦାୟିତ୍ୱ ଦେଇଛି ଭାବମୂର୍ତ୍ତି ସଜାଡ଼ିବା ପାଇଁ। ଅର୍ଥାତ ଭାଜପା ଆଇଟି ସେଲର ଆବାହକ ସେ। କିନ୍ତୁ ବାବୁଙ୍କ ନିର୍ବାଚନ ଲଢ଼ିବା ନିଶା ଘାରିଛି। ପାଟକୁରାରୁ ପ୍ରାର୍ଥୀ ହେବା ପାଇଁ ଚାହାନ୍ତି। ଯେହେତୁ ସଭାପତି ମନମୋହନ ସାମଲଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲାନ୍ତି ଉମା, ସେହେତୁ ସବୁକିଛି କରିପାରିବେ ବୋଲି ତାଙ୍କ ଭିତରେ ଏକ ନୂଆ ନିଶା ଘାରିଛି। କିଛି ମାସ ଆଗରୁ ଗରଦପୁର ବିଡ଼ିଓଙ୍କ ସହ ତାଙ୍କର ବାଚସାଟା ହୋଇଥିଲା। ଏହାର ଭିଡ଼ିଓ ଭାଇରାଲ ହୋଇଥିଲା। କିନ୍ତୁ ଯେହେତୁ ଦଳ ତାଙ୍କୁ କୌଣସି ଆକ୍ସନ କଲା ନାହିଁ, ଏବେ ସେ ଅଧିକ ମଦୁଆଲା ହୋଇପଡ଼ିଛନ୍ତି ବୋଲି ପାଟକୁରା ସାରା ଚର୍ଚ୍ଛା ହେଉଛି। ଏହା ସେ ଦଳର ଅପୂରଣୀୟ କ୍ଷତି କରୁଛି, ତାହାକୁ ସଭାପତି କିମ୍ବା ମୁଖ୍ୟମନ୍ତ୍ରୀ ଜାଣିପାରୁ ନାହାନ୍ତି। ଶୁକ୍ରବାର ଘରଘର ତିରଙ୍ଗା ଯାତ୍ରାରେ ନେତୃତ୍ୱ ନେଉଥିଲେ ଉମାକାନ୍ତ ପଟ୍ଟନାୟକ। ଡେରାବିଶ ବ୍ଲକରେ ଏହି ଯାତ୍ରା କରିବା ପରେ ଉମା ଦଳବଳ ନେଇ ବିଡ଼ିଓ ନମିତା ବାରିକଙ୍କ ଅଫିସ ଭିତରକୁ ପଶିଗଲେ। ଛୋଟ ଅଫିସ ଘର। ଭିତରେ ଉମା ବାହିନୀ। ଯେଉଁ ଅଭିଯୋଗ ଡେରାବିଶ ବ୍ଲକ କର୍ମଚାରୀମାନେ ଆଣିଛନ୍ତି, ତଦନୁସାରେ ଉମା ଏବଂ ତାଙ୍କ ସମର୍ଥକମାନେ ୧୪ ତାରିଖ ଦିନ ବିନା ଅନୁମତିରେ ବିଡ଼ିଓ ଅଫିସରେ ପଶିଥିଲେ। ଆପତ୍ତିଜନକ ଗାଳିଗୁଲଜ କରିଥିଲେ। ବିଡ଼ିଓଙ୍କ ବିରୋଧରେ ଏମିତି ଭାଷା ପ୍ରୟୋଗ କରିଥିଲେ, ଯାହା ଅଶ୍ରାବ୍ୟ। ଶାସକ ଦଳର କର୍ମୀ ଓ ନେତାଙ୍କ ସହ କୌଣସି ବାତାବରଣ କରିନଥିଲେ ବିଡ଼ିଓ। ସେମାନଙ୍କର କର୍ତ୍ତବ୍ୟ ବ୍ୟବହାର ଯୋଗୁ ବିଡ଼ିଓ ନମିତା ମୂର୍ଚ୍ଛା ହୋଇଯାଇଥିଲେ। ଏହା ଦେଖିବା ପରେ ଉମାଙ୍କ ବାର ବାହିନୀ ସେଠାରୁ ଚାଲିଯାଇଥିଲେ। ଉମାଙ୍କର ରାଗ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଉପରେ। ଅଭିଯୋଗ ହେଉଛି ଯେ ସେ କହୁଥିଲେ, ଜଣେ ନିଲମ୍ବିତ ବିଧାୟକଙ୍କ ସବୁ କାର୍ଯ୍ୟ କରୁଛନ୍ତି ବିଡ଼ିଓ। କିନ୍ତୁ ଉମା କିଏ? ପାଟକୁରାରେ ତାଙ୍କ ସ୍ଥିତି କ’ଣ? ସେ ଜିଲ୍ଲାରେ କୌଣସି ପଦପଦବୀଧାରୀ ନୁହଁନ୍ତି। ଏହାସତ୍ତ୍ୱେ ସରକାରୀ ଅଧିକାରୀମାନେ ତାଙ୍କୁ କାହିଁକି ଶୁଣିବେ? ରାଜ୍ୟରେ ଶାସନ ମୁଖ୍ୟ ମୋହନଚରଣ ମାଝୀ ଏବାବଦରେ ସବୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଦେଲେ ଅଡୁଆ ତୁଟନ୍ତା। ବ୍ଲକ୍ ଷ୍ଟାଫ୍ ଉମାକାନ୍ତ ଓ ଅନ୍ୟମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଠାରେ ଚର୍ଚ୍ଛା ଚାଲିଛି ଯେ ପ୍ରଶାସନ ଆଉ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଅଛି କି? ପ୍ରଶାସନିକ ନିୟନ୍ତ୍ରଣ ତାଙ୍କ ହାତଛଡ଼ା ହୋଇଗଲାଣି। ଏପର୍ଯ୍ୟନ୍ତ ବରିଷ୍ଠ ନେତା ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ମୋର୍ଚ୍ଚା ଖୋଲି ନାହାନ୍ତି। କିନ୍ତୁ ଉମାଙ୍କ ଆଚରଣ ବିଜୟଙ୍କୁ ସରକାର ବିରୋଧୀ ହେବାକୁ ବାଧ୍ୟ କରିବ। କ୍ଷତି କାହାର ହେବ? ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦ୍ରୁତଗତିରେ ବିଗିଡ଼ି ଚାଲିଛି। ଡିଜିପି ମନୋନୟନକୁ ନେଇ ପୁଲିସ କମାଣ୍ଡ ଭାଙ୍ଗିବାକୁ ବସିଛି। ଏପରିସ୍ଥଳେ ଶାସକ ଦଳର ନେତାମାନେ ଯେଉଁ ଆଚରଣ କରୁଛନ୍ତି, ପରିସ୍ଥିତିକୁ ଆହୁରି ଖରାପ କରିବ। ଏଭଳି ଅବସ୍ଥାର ଫାଇଦା ଧର୍ମେନ୍ଦ୍ର ପ୍ରଧାନ ଯଦି ନେବେ, ତେବେ ମୁଖ୍ୟମନ୍ତ୍ରୀ ବାଛିଥିଲେ ଶୁଣିବ କିଏ? ଏବେ ସମସ୍ତଙ୍କର ଅପେକ୍ଷା। ବିଏମସି ଗଣ୍ଡଗୋଳ ପରି ଡେରାବିଶ ବ୍ଲକ୍ ଗଣ୍ଡଗୋଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇପାରିବେ କି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ? Post navigation Odisha Online Drivers’ Forum Stages Protest: ଅନଲାଇନ୍ ଟ୍ୟାକ୍ସି କମ୍ପାନୀଗୁଡ଼ିକ ବିରୋଧରେ ଆନ୍ଦୋଳନ; ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା Odisha Floods: ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ ଓ ରିଲିଫ୍ କାର୍ଯ୍ୟର ସମନ୍ୱୟ ପାଇଁ ବିଜେଡିର ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ