ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆ କାର୍ଯ୍ୟରୁ ଅବସର ନେଉଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ନକ୍ସଲ ମୁକ୍ତ ହେବା ଏକ ବଡ଼ ଉପଲବ୍ଧି । ଖାଲି ସେତିକି ନୁହେଁ ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି, ଦଙ୍ଗା, ଧର୍ଷଣ, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧରେ ମଧ୍ୟ ହ୍ରାସ ଘଟିଛି ।

ଏହି ବିଦାୟୀ ଅଭିଭାଷଣରେ ଡିଜିପି ୱାଇ.ବି. ଖୁରାନିଆ କହିଛନ୍ତି ପୋଲିସ ଭବନଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ସୁଦୃଢ଼ ନେତୃତ୍ୱ, ସମନ୍ୱିତ ରଣନୀତି, ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ମାନବ ସମ୍ବଳର ସଶକ୍ତିକରଣ ଏବଂ ଜନସାଧାରଣଙ୍କ ବିଶ୍ୱାସ ଯୋଗୁଁ ହିଁ ପୋଲିସ ବାହିନୀ ଏହି ସଫଳତା ପାଇପାରିଛି। ଏହି ସମୟ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାକୁ ‘ନକ୍ସଲମୁକ୍ତ ରାଜ୍ୟ’ ଭାବେ ଘୋଷଣା କରାଯିବା ରାଜ୍ୟ ପୋଲିସର ସବୁଠାରୁ ବଡ଼ ସଫଳତା।

ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଏବଂ ପୋଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୋଲିସ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦୃଢ଼ ନେତୃତ୍ୱ, ସମନ୍ୱିତ ରଣନୀତି, ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, ମାନବ ସମ୍ବଳର ସଶକ୍ତୀକରଣ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ଆସ୍ଥାର ସୁଦୃଢ଼ୀକରଣ ଯୋଗୁଁ ଓଡ଼ିଶା ପୋଲିସ ଏକ ଦକ୍ଷ, ସକ୍ରିୟ, ଦାୟିତ୍ୱଶୀଳ ଓ ଅତ୍ୟାଧୁନିକ ପୋଲିସ ବାହିନୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି।

ସେ କହିଛନ୍ତି ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଚଲାପତି ଓ ଗଣେଶ ଉଇକେଙ୍କ ସମେତ ୨୯ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ୮୩ ଜଣ ଆତ୍ମସମର୍ପଣ କରିଥିବା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସୁରକ୍ଷାବଳ ୧୭୬ଟି ମାରଣାସ୍ତ୍ର ଏବଂ ୧୫୯ଟି IED ଜବତ କରିଛନ୍ତି।​ ଡିସେମ୍ବର ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଏବଂ କଳାହାଣ୍ଡିରେ ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସେହିପରି ​ନକ୍ସଲ ବିରୋଧୀ ଅଭିଯାନକୁ ଅଧିକ ମଜବୁତ କରିବା ପାଇଁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ୩ଟି ଅତିରିକ୍ତ OSSF (Odisha Special Striking Force) ବାଟାଲିୟନ ଗଠନ କରାଯାଇ ୩,୦୦୯ଟି ପଦବୀ ମଞ୍ଜୁର କରାଯାଇଛି। ଏଥି ସହିତ ​ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଅଧୀନରେ ପ୍ରୋତ୍ସାହନ ରାଶିକୁ ୧.୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ଅନେକ ନକ୍ସଲ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଡିଜିପି ଖୁରାନିଆ ଶେଷରେ କହିଛନ୍ତି ଯେ ଏହି ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଓଡ଼ିଶା ପୋଲିସ ଆଜି ଏକ ଦକ୍ଷ, ସକ୍ରିୟ, ଦାୟିତ୍ୱବାନ ଏବଂ ଆଧୁନିକ ପୋଲିସ ବାହିନୀ ଭାବେ ଉଭା ହୋଇଛି।

 

Leave a Reply

Your email address will not be published. Required fields are marked *