ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬’ କୁ ବିଜେଡି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏହି ବିଲ୍‌କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଦ୍ବାରା ରାଜ୍ୟଗୁଡ଼ିକର ଅଧିକାର, ଆର୍ଥିକ ସ୍ଵାୟତ୍ତତା ଏବଂ ଖଣି ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ବାଧାପ୍ରାପ୍ତ ହେବ ବୋଲି କହିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଏହି ବିଲ୍‌କୁ ବର୍ତ୍ତମାନର ରୂପରେ ପାସ୍ ନକରି ବିସ୍ତୃତ ସମୀକ୍ଷା ପାଇଁ ରାଜ୍ୟସଭାର ଏକ ସିଲେକ୍ଟ କମିଟି (Select Committee) ପାଖକୁ ପଠାଇବାକୁ ଅନୁରୋଧ କରିଥିଲେ। ତେବେ ବିଜେଡିର ଏହି ବିରୋଧ ସତ୍ତ୍ୱେ ଗୃହରେ ଏହି ବିଲ୍ ପାରିତ ହୋଇଯାଇଛି।

ବିଲ୍ ଉପରେ ଚାଲିଥିବା ଆଲୋଚନାରେ ଭାଗ ନେଇ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ, ଏହି ପ୍ରସ୍ତାବିତ ସଂଶୋଧନ ଦ୍ଵାରା ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟଗୁଡ଼ିକର କ୍ଷମତା ସୀମିତ ହୋଇଯିବ। ରାଜ୍ୟଗୁଡ଼ିକ ନିଜର ଖଣିଜ ସମ୍ପଦ ଭରପୂର ଜମି ଉପରେ ନିଜସ୍ୱ ଟିକସ କିମ୍ବା ଶୁଳ୍କ ଲଗାଇବାର ସ୍ଵାଧୀନତା ହରାଇବେ। ଏଭଳି କଟକଣା ଯୋଗୁଁ ରାଜ୍ୟର ରାଜସ୍ୱ ଆଦାୟ ହ୍ରାସ ପାଇବ, ଯାହାଫଳରେ ସ୍ୱାସ୍ଥ୍ୟସେବା ଏବଂ ସଡ଼କ ଭିତ୍ତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ଅର୍ଥ ଯୋଗାଇବାରେ ରାଜ୍ୟ ସରକାର ଅସୁବିଧାର ସମ୍ମୁଖୀନ ହେବେ।

ବିଜେଡି ସାଂସଦ ଏହି ଆଇନର ଅତ୍ୟଧିକ କେନ୍ଦ୍ରୀକୃତ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସାରା ଦେଶ ପାଇଁ ଏକ ସମାନ ବ୍ୟବସ୍ଥା ବା ଢାଞ୍ଚା (Uniform Framework) ଲାଗୁ କଲେ ଖଣି ପ୍ରଧାନ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ଅର୍ଥନୈତିକ, ସାମାଜିକ ଏବଂ ପ୍ରଶାସନିକ ସମସ୍ୟାର ସଠିକ୍ ସମାଧାନ ହୋଇପାରିବ ନାହିଁ।

ଖଣି ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟା ଉତ୍ଥାପନ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଏହି ସ୍ଥାନୀୟ ସମୁଦାୟକୁ ହିଁ ଖଣି ଖନନ ଯୋଗୁଁ ସୃଷ୍ଟି ହେଉଥିବା ପରିବେଶ ଏବଂ ସାମାଜିକ ଦୁଷ୍ପ୍ରଭାବର ସବୁଠାରୁ ବଡ଼ ଶିକାର ହେବାକୁ ପଡ଼ିଥାଏ। ତେଣୁ ଶିଳ୍ପର ବିକାଶ କେବେ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାର୍ଥକୁ ବଳି ଦେଇ ହେବା ଉଚିତ ନୁହେଁ। ପ୍ରାକୃତିକ ସମ୍ପଦରୁ ମିଳୁଥିବା ଲାଭର ଏକ ନ୍ୟାୟୋଚିତ ଏବଂ ସ୍ଥାୟୀ ଅଂଶ ଏହି ପ୍ରଭାବିତ ଲୋକମାନଙ୍କୁ ମିଳିବା ଦରକାର ବୋଲି ସେ ଦୃଢ଼ ଦାବି କରିଛନ୍ତି।

ସାମ୍ବିଧାନିକ ଏବଂ ଆଞ୍ଚଳିକ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ବିଲ୍ ଉପରେ ବ୍ୟାପକ ଆଲୋଚନାର ଆବଶ୍ୟକତା ଥିବା ବିଜେଡି ସାଂସଦ ଦର୍ଶାଇଥିଲେ। ତେବେ ବିଜେଡି ସମେତ ଅନ୍ୟ ଦଳଗୁଡ଼ିକର ଆପତ୍ତି ସତ୍ତ୍ୱେ ଶେଷରେ ଏହି ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଛି।

Leave a Reply

Your email address will not be published. Required fields are marked *