ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏବେ ସୁପ୍ରିମକୋର୍ଟରେ ବିବାଦ ଦେଖାଦେଇଛି। ୨୦୦୬ ମସିହାର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଓଡ଼ିଶା ସରକାର ପୋଲିସ ମହାନିର୍ଦ୍ଦେଶକ ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ଅଯୋଗ୍ୟ ଅଧିକାରୀଙ୍କୁ ଚୟନ ପ୍ୟାନେଲରେ ସାମିଲ କରି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ।

ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଦାଲତଙ୍କୁ ଜଣାଇଛନ୍ତି ଯେ ଓଡ଼ିଶା ସରକାର ‘ପ୍ରକାଶ ସିଂହ ମାମଲା’ର ରାୟକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରୁଛନ୍ତି। ଗତ ଅଗଷ୍ଟ ୭, ୨୦୨୬ ରେ ୩ ଜଣ ଡିଜିପି ପାହ୍ୟାର ଅଫିସରଙ୍କ ମଧ୍ୟରୁ ଜଣକୁ ଚୟନ କରିବା ପାଇଁ ସଂଘ ଲୋକସେବା ଆୟୋଗ (UPSC) ର ଏକ ବୈଠକ ବସିଥିଲା। ମାତ୍ର ସେହି ସମୟରେ ଓଡ଼ିଶା ସରକାର ପୂର୍ବରୁ ପଠାଇଥିବା ନିଜର ନାମ ତାଲିକାକୁ ହଠାତ୍ ପ୍ରତ୍ୟାହାର କରିନେଇଥିଲେ। ସରକାରଙ୍କୁ ଏହି ତାଲିକା ଫେରାଇ ନେବାକୁ ଅନୁମତି ମିଳିଥିବା ବେଳେ, ବର୍ତ୍ତମାନ ସେମାନେ ପଠାଇବା ପାଇଁ ଆଉ ଏକ ନୂଆ ତାତିକା ପ୍ରସ୍ତୁତ କରୁଛନ୍ତି। ଏହି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ପ୍ରକାଶ ସିଂ ଗାଇଡଲାଇନର ସ୍ପଷ୍ଟ ଉଲ୍ଲଙ୍ଘନ ଅଟେ।

ଏହାପରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ କରି ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରାଯାଇଛି। ଆରଟିଆଇ ତଥା ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଦ୍ୱାରା ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହାପରେ ସୁପ୍ରିମକୋର୍ଟ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି ଏବଂ ବୁଧବାର (ଅଗଷ୍ଟ ୧୨) ଏହାର ଶୁଣାଣି କରାଯିବ। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ଦେଇଛନ୍ତି।

ଆବେଦନକୁ ଗ୍ରହଣ କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, “DGP ନିଯୁକ୍ତି ପାଇଁ କେଉଁମାନେ ଯୋଗ୍ୟ, ସେ ବିଷୟରେ UPSC ଭଲଭାବେ ଅବଗତ ଅଛି। ଯଦି କୌଣସି ଅଯୋଗ୍ୟ ଅଧିକାରୀଙ୍କ ତାଲିକା ପଠାଯାଏ, ତେବେ UPSC ଆମ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ।”

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର DGP ୱାଇ.ବି. ଖୁରାନିଆ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଅବସର ନେବାକୁ ଥିବାବେଳେ ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ପୂର୍ବରୁ ଫେବୃଆରୀ ୨୦୨ରେ ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିଲେ ଯେ ଯୋଗ୍ୟ ଅଧିକାରୀଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ନିୟମ ଓ ଯୋଗ୍ୟତା ମାପଦଣ୍ଡକୁ ବାଇପାସ୍ କରାଯାଇପାରିବ ନାହିଁ। ବୁଧବାର ହେବାକୁ ଥିବା ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *