ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ । ୪ ଦ୍ବାର ଖୋଲିବାକୁ ହେଲେ ବ୍ୟାରିକେଡ କରାଯିବ କି ନାହିଁ ତାହା ନେଇ ହେଉଛି ସମୀକ୍ଷା । ଦିନେ, ଦୁଇ ଦିନରେ ଦ୍ୱାର ଖୋଲିବା ପାଇଁ ବ୍ୟବସ୍ଥା ରହିଛି। ଗତକାଲି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ବୈଠକ ନିଷ୍ପତ୍ତି ମୁତାବକ ଆଜି ଏକ ଟିମ୍‌ ଯାଇ ଅନୁଧ୍ୟାନ କରିଛନ୍ତି।

ସୂଚନା ମୁତାବକ ବିଜେପି ନିର୍ବାଚନ ସମୟରେ ନିର୍ବାଚନ ଇସ୍ତାହାର ରେ ଏହି ଦାବି ରଖିଥିବା ବେଳେ ସରକାରକୁ ଆସିଲେ ଚାରି ଦ୍ୱାର ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଆଧାରରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଭକ୍ତଙ୍କ ପାଇଁ ଅନ୍ୟ ଦ୍ୱାରମାନଙ୍କରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଉଛି ।

ଗୋଟିଏ ଦ୍ୱାର ଦେଇ ବହୁସଂଖ୍ୟକ ଭକ୍ତ ଯିବା ଦ୍ୱାରା ମନ୍ଦିରରେ ପ୍ରବଳ ଗହଳି ହେଉଛି। ଏପରିକି ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ସେହିପରି ବେଳେବେଳେ ଭକ୍ତ ବାନ୍ତି କରିଦେଉଥିବାରୁ ଓ ଭିଡ଼ରେ କ୍ଷତାକ୍ତ ହୋଇ ରକ୍ତ ପଡୁଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଛି। ଏଥିଯୋଗୁ ନୀତି ବିଳମ୍ବ ହେବା ସହ ଦର୍ଶନରେ ବିଳମ୍ବ ଘଟୁଛି। ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ଭକ୍ତମାନେ ହଇରାଣ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି।

Leave a Reply

Your email address will not be published. Required fields are marked *