ନିର୍ଭୟ ମିଡିଆ : ନିଶ୍ଚିନ୍ତକୋଇଲି,

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଗତ ବୁଧବାର ଏକ ବଡ଼ଧରଣର ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଭାଜପାର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଏକ ବାଇକ ରାଲିର ଆୟୋଜନ ହୋଇଥିଲାବେଳେ ପୋଡାମରାଇ ପଞ୍ଚାୟତର ସିନ୍ଧୁପୁର ଗାଁ ପାଖରେ ହୋଇଥିଲା ରାଲି ଉପରକୁ ପଥର ମାଡ । ଏଥିରେ କିଛି ଗାଡି ଭାଙ୍ଗିବା ସହ ତିନି ଜଣ ଆହତ ହୋଇଥିଲେ । ବିଜଦ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବାର ଅଭିଯୋଗ ପରେ ସେମାନେ ଦୋଷ ଠେଲି ଦେଇଥିଲେ ସାରଦା ପ୍ରଧାନ (ବୁଲୁ)ଙ୍କ ଗୋଷ୍ଠୀଙ୍କ ଉପରେ । କାରଣ ବୁଲୁଙ୍କ ଘରଠାରୁ ଏହି ସ୍ଥାନର ଦୂରତା ହେଉଛି ମାତ୍ର ୪୦୦ ମିଟର । ପରେ ହାଇକମାଣ୍ଡଙ୍କୁ ଅବଗତ କରାଯାଇଥିଲା । ଭାଜପାରୁ ଟିକଟ ନପାଇ ବୁଲୁ କ୍ଷୁବ୍ଧ ଥିବା କଥା ମଧ୍ୟ ଜୋରସୋରରେ ପ୍ରଚାର କରାଗଲା ।

ଆସ୍ତେ ଆସ୍ତେ ଏହି ଘଟଣାର ପ୍ରକୃତ କାରଣ ଆସୁଛି ସାମ୍ନାକୁ । ପଥର ମାଡରେ ବୁଲୁ ନୁହେଁ ଲୁଲୁ ଅର୍ଥାତ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ହାତ ଥିବା ଏକ ପ୍ରକାର ଜଣାପଡିଛି । ୨୦୧୮ ମସିହାରେ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କ ରାଲି ଉପରେ ହୋଇଥିଲା ଆକ୍ରମଣ । ବିଜୁ ଜନତା ଦଳ ନେତୃତ୍ୱ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ବିଧାନସଭାରେ ଏହି ପ୍ରଶ୍ନ ଉଠିଥିଲା । ପରେ ଧର୍ମକୁ ଆଖି ଠାର ଭାବେ ଦୁଇ ତିନି ଜଣଙ୍କ ବିରୋଧରେ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍‌ ରହିଯାଇଥିଲେ ବିଜଦ ନେତୃତ୍ୱ ।

ବୁଧବାର ପଥର ମାଡ ଘଟଣାରେ ଏକ ସାଙ୍ଘାତିକ ଖେଳ ହୋଇଥିବାର ଚିତ୍ର ସାମ୍ନାକୁ ଆସିଗଲାଣି । ଏଥର ଭାଜପାରୁ ଟିକେଟ ଆଶାୟୀ ଥିବା ବୁଲୁ ନିରାଶ ହୋଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଘନ ଘନ ବୈଠକ ମଧ୍ୟ କରୁଛନ୍ତି । ମାହାଙ୍ଗାରେ ତାଙ୍କ ସଂଗଠନ ମଧ୍ୟ ବେଶ ମଜଭୁତ । ଅନ୍ୟପଟେ ମାହାଙ୍ଗା ବିଜଦ ବିଧାୟକ ପ୍ରତାପ ଜେନାଙ୍କୁ ଟିକେଟ ମିଳିନାହିଁ । ତାଙ୍କ ବଦଳରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ମିଳିଛି ଟିକେଟ । ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଘନ ଘନ ମାହାଙ୍ଗ ଗସ୍ତ ସହ ଭାଜପା ସଂଗଠନକୁ ମଜଭୁତ କରୁଥିବାରୁ ପୁଅର ପରାଜୟ ଚିନ୍ତା ଘାରିଛି ଲୁଲୁଙ୍କୁ । ତେଣୁ ସେ ଟିକେଟ୍‌ ନପାଇଁ ଅସନ୍ତୁଷ୍ଟ ଥିବା ବୁଲୁଙ୍କୁ କିପରି ଅଧିକ ଉତ୍‌କ୍ଷିପ୍ତ କରାଯାଇପାରିବ ସେହି ଲକ୍ଷ୍ୟରେ ଥିବା କୁହାଯାଉଛି । ତେଣୁ ପଥର ମାଡ ପରେ ତୁରନ୍ତ ଏହି ଘଟଣା ପଛରେ ବୁଲୁଙ୍କ ହାତ ଥିବାର ପ୍ରଚାର କରାଗଲା । ବୁଲୁଙ୍କ ଉପରେ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେ ଉତ୍‌କ୍ଷିପ୍ତ ହୋଇଥାନ୍ତେ ଏବଂ ଭାଜପା ସଂଗଠନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାଦ୍ୱାରା ପୁଅ ଅଙ୍କିତ ପ୍ରତାପଙ୍କୁ ଫାଇଦା ହୋଇଥାନ୍ତା ବୋଲି ଧରିନେଇଥିଲେ ଲୁଲୁ । ମାତ୍ର ଏବେ ସତ ଏକପ୍ରକାର ସାମ୍ନାକୁ ଆସିଛି । ବୁଲୁଙ୍କୁ ବଦନାମ କରିବା ପାଇଁ ଲୁଲୁ ଏଭଳି ସାଙ୍ଘାତିକ ଷଡଯନ୍ତ୍ର ରଚିଥିବା ଜଣାପଡିଲାଣି । ଏବେ ଅପେକ୍ଷା ବୈଜୟନ୍ତଙ୍କ ବାଇକ ରାଲି ଉପରେ ହୋଇଥିବା ଆକ୍ରମଣକୁ ନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ମାହାଙ୍ଗା ପୁଲିସ ଓ ପ୍ରଶାସନ ।

By Nirvay

Leave a Reply

Your email address will not be published. Required fields are marked *