ନିର୍ଭୟ ମିଡିଆ : ବ୍ରହ୍ମପୁର,

ଟି-୨୦ କ୍ରିକେଟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କଦବା କ୍ୱଚିତ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମ ଥର ଓଡ଼ିଶା ମଇଦାନକୁ ଓହ୍ଲାଇଥିବା ଜଣେ ନେତା ଏମିତି ବ୍ୟାଟିଂ କରିବେ ତାହା ଓଡ଼ିଶାବାସୀ କେବେ ବି କଳ୍ପନା କରିନଥିବେ । ଆଉ ତାଙ୍କର ବିସ୍ଫୋରକ ବ୍ୟାଟିଂ ମଧ୍ୟ କିଛି ସମୟ ପାଇଁ ନେତାମାନଙ୍କୁ ଚକିତ କରିଥିଲାବେଳେ ଶେଷରେ ସେମାନେ ହୋଇଥିଲେ ବେଶ ଉତ୍ସାହିତ। ଆମେ କହୁଛୁ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ କଥା ।

ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ବିପ୍ଲବ କୁମାରଙ୍କୁ ରାଜ୍ୟର ୫ଟି ଜଟିଳ ଲୋକସଭା ଆସନ ପାଇଁ ଦାୟିତ୍ୱ ଦେଇଥିବା ଜଣାପଡିଛି । ରବିବାର ବ୍ରହ୍ମପୁରର ଆମ୍ବପୁଆଠାରେ ବିଜୟ ସଂକଳ୍ପ ସମାବେଶ ଅବସରରେ ବିପ୍ଳବ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ କରିଥିଲେ ଜୋରଦାର ଆକ୍ରମଣ । କହିଥିଲେ ଯେ, ପାଣ୍ଡିଆନ କିଏ ? ସେ କାହିଁକି ଏଠାରେ ରାଜୁତି କରୁଛନ୍ତି ? ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଏହା ପଚାରିବା ଠିକ୍‌ ହେବ ନାହିଁ । ତାଙ୍କୁ ଏବେ କାଶୀ ଏବଂ ବୃନ୍ଦାବନ ଯିବାର ସମୟ ହୋଇଗଲାଣି । ଆପଣମାନଙ୍କୁ ଜବାବ ଦେବାକୁ ହେବ । ତେବେ ନବୀନ ବାବୁଙ୍କୁ ଏହି ଜବାବ ଦେବାକୁ ପଡ଼ିବ ଯେ, ସେ କାହିଁକି ପାଣ୍ଡିଆନଙ୍କୁ ଆବିଷ୍କାର କଲେ? ଲୋକେ କ’ଣ ଭୋଟ ଦେଇଛନ୍ତି ପାଣ୍ଡିଆନଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଟେକି ଦେବାକୁ ? ମୋତେ ବି ଏହା ଖବର ମିଳିଛି ଏଠାରେ କୁଆଡ଼େ ଅବସରପ୍ରାପ୍ତ ଆଇଜି ଲୋକଙ୍କୁ, ନେତାଙ୍କୁ ଧମକାଉଛନ୍ତି । ହେଲେ ଡରିବାର କାରଣ ନାହିଁ । କାରଣ ଆପଣମାନେ ଏବଂ ଆମେ ଜଗନ୍ନାଥଙ୍କୁ ବିଶ୍ୱାସ କରୁଛୁ ।

ବିପ୍ଲବ କହିଥିଲେ ମୁଁ ଏଠାକୁ ଜ୍ଞାନ ବାଣ୍ଟିବାକୁ କି ଜ୍ଞାନ ଦେବାକୁ ଆସିନାହିଁ । ଆପଣମାନେ ସବୁ ଗୋଟିଏ ଗୋଟିଏ ସିଂହ । ଦିଲୀରେ ବି ଜଣେ ସିଂହ ଅଛନ୍ତି । ସେ ହେଉଛନ୍ତି ନରେନ୍ଦ୍ର ମୋଦୀ । ତାଙ୍କୁ ଦାୟିତ୍ୱ ଦେଲେ, ଡବଲ ଇଂଜିନ ସରକାର ହେଲେ ୫ବର୍ଷରେ ଓଡ଼ିଶା ହେବ ଏକ ନମ୍ବର ।

ବିପ୍ଲବ ନବୀନଙ୍କୁ ଆକ୍ଷେପ କରି କହିଥିଲେ ଯେ, ପ୍ରାକୃତିକ ସମ୍ପଦରେ ଓଡ଼ିଶା ଭରପୁର ଥିଲାବେଳେ ରାଜ୍ୟ ସବୁଠୁ ଗରିବ କାହିଁକି? କାହିଁକି ଲକ୍ଷାଧିକ ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି? କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଚୁର ପରିମାଣର ସହାୟତା ଯୋଗାଉଥିଲାବେଳେ ଏଠାରେ ଯୋଜନାର ହରିଲୁଟ୍‌ କରାଯାଉଛି । ଷ୍ଟିକର ଲଗାଇ ପାଣ୍ଡିଆନ ନବୀନ ବାବୁଙ୍କୁ ଖୁସି କରିବାର ଚେଷ୍ଟା କରୁଛନ୍ତି

ମୁଁ ନବୀନ ପଟ୍ଟନାୟକଙ୍କୁ କହୁଛି ଭାଜପା ଆପଣଙ୍କୁ ମାରିବ ନାହିଁ ବରଂ ପାଣ୍ଡିଆନ ମାରିବ । ଆପଣଙ୍କ ନାମ ଆଉ ନବୀନ ପଟ୍ଟନାୟକ ହୋଇନାହିଁ, ଆପଣଙ୍କ ନାମ ହୋଇଛି ନବୀନ ପାଣ୍ଡିଆନ । ବିଜୁ ବାବୁ ଥିଲେ ତାଙ୍କୁ ନିଶ୍ଚିତ ଆଜି ଭାରି କଷ୍ଟ ହେଉଥାନ୍ତା । ବାହାରୁ ଆସିଥିବା ଜଣେ ଲୋକ ତାଙ୍କ ରାଜ୍ୟକୁ ରାଜୁତି କରୁଥିବା ତାଙ୍କ ମନରେ ନିଶ୍ଚିତ ଆଘାତ ଦେଇଥାନ୍ତା । ଆପଣମାନେ ବିଚାର କରନ୍ତୁ କିଏ ଠିକ୍‌ କିଏ ଭୁଲ୍‌ । ଏହି ନିର୍ବାଚନ ଓଡ଼ିଶାକୁ ନୂଆ ଦିଗ ଦେବ ।

By Nirvay

Leave a Reply

Your email address will not be published. Required fields are marked *