ନିର୍ଭୟ ମିଡିଆ : ଭୁବନେଶ୍ୱର,

କଂଗ୍ରେସ ପକ୍ଷରୁ ଦୁଇ ଲୋକସଭା ଆସନ ସହ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ରବିବାର । ସମ୍ବଲପୁର ପାଇଁ ଲୋକସଭା ପ୍ରାର୍ଥୀ ବଦଳା ଯାଇଥିଲାବେଳେ ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ବଦଳାଇଛି ।

ପୂର୍ବରୁ କଂଗ୍ରେସ ପକ୍ଷରୁ ସମ୍ବଲପୁର ଆସନ ପାଇଁ ଦୁଲାଲଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲାବେଳେ ଏବେ ତାଙ୍କ ବଦଳରେ ପୂର୍ବତନ ବିଜଦ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି କଟକ ଲୋକସଭା ଆସନ ପାଇଁ ସୁରେଶ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ଫଳରେ ଏବେ କଟକରେ ଏବେ ଭର୍ତ୍ତୃହରି ମହତାବ, ସଂତୃପ୍ତ ମିଶ୍ର ଏବଂ ସୁରେଶଙ୍କ ମଧ୍ୟରେ ହେବ ମୁକାବିଲା ।

କଂଗ୍ରେସ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାରବାଟୀ-କଟକରୁ ପ୍ରାର୍ଥୀ ହୋଇଛନ୍ତି ସୋଫିଆ ଫିର୍ଦ୍ଦୋସ । ସେ ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢିବାରୁ ବଂଚିତ ହେଉଥିବାରୁ ତାଙ୍କ ଝିଅ ପ୍ରାର୍ଥୀ ହୋଇଛନ୍ତି । ରବିବାର ସାଲେପୁର ସଭାରେ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାରିପଦା ଏବଂ ଖଣ୍ଡପଡ଼ାରେ ଦଳ ପ୍ରାର୍ଥୀ ବଦଳାଇଛି । ବାରିପଦା ଆସନରେ ପୂର୍ବରୁ ବାଦଲ ହେମ୍ବ୍ରମଙ୍କୁ ଟିକେଟ୍‌ ମିଳିଥିଲାବେଳେ ତାଙ୍କ ସ୍ଥାନରେ ଏବେ ପ୍ରାର୍ଥୀ ହୋଇଛନ୍ତି ପ୍ରମୋଦ କୁମାର ହେମ୍ବ୍ରମ୍‌ । ସେହିପରି ମନୋଜ କୁମାର ପ୍ରଧାନଙ୍କୁ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ଭାବେ ଦଳ ମନୋନୀତ କରିଥିଲାବେଳେ ଏବେ ତାଙ୍କ ସ୍ଥାନରେ ଟିକେଟ୍‌ ପାଇଛନ୍ତି ବୈଜୟନ୍ତୀମାଳା ମହାନ୍ତି । ଜଳେଶ୍ୱରରୁ ଦେବୀ ପ୍ରସାଦ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲ ଏବଂ ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି ।

By Nirvay

Leave a Reply

Your email address will not be published. Required fields are marked *