କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ପୁଣି ତେଜିଛି। କୋଟିଆର କିଛି ଗ୍ରାମରେ ନଭେମ୍ବର ୫ ତାରିଖରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଏହି ବିବାଦ ପୁଣି ସାମ୍ନାକୁ ଆସିଛି । ଏହାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିବା ସହ ଆନ୍ଧ୍ରର ନିର୍ବାଚନ ଉଦ୍ୟମକୁ ପଣ୍ଡ କରାଯିବ ବୋଲି କହିଛନ୍ତି । ମନ୍ତ୍ରୀ କହିଛନ୍ତି, କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଟିଆକୁ ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ ପଠାଯାଇଛି। ପୂର୍ବରୁ ୧୬ ପ୍ଲାଟୁନ ପୋଲିସ ଫୋର୍ସ ଅଞ୍ଚଳରେ ମୁତୟନ ହୋଇଛନ୍ତି । ଗୋଟିଏ ପ୍ଲାଟୁନରେ ପ୍ରାୟ ୩୦ ଜଣ ପୋଲିସ କର୍ମଚାରୀ ରହିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା କରିବାକୁ ଦାବି ରଖାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି। ବର୍ତ୍ତମାନ କୋଟିଆରେ ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ସବୁ ରାଜନୈତିକ ଦଳର ନେତା ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ରାଜ୍ୟର ଅନ୍ୟ ସୀମା ବିବାଦୀୟ ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ସରକାର ନଜର ରଖିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜରେ ମୋଟ ୨୮ଟି ଗାଁ ରହିଛି। ଏଥିମଧ୍ୟରୁ ୨୧ଟି ଗାଁ ଉପରେ ଆନ୍ଧ୍ରପ୍ରଦେଶ ନିଜର ଦାବି ଜାହିର କରିଆସୁଛି। ଅନ୍ୟପକ୍ଷରେ, ଏହି ଅଞ୍ଚଳରେ ପୂର୍ବରୁ ଓଡ଼ିଶାର ପଞ୍ଚାୟତ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚିତ ହୋଇଥିବାବେଳେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଉଦ୍ୟମକୁ ନେଇ ସାମ୍ବିଧାନିକ ଓ ପ୍ରଶାସନିକ ପ୍ରଶ୍ନ ଉଠିଛି । Post navigation Kendujhar Mining Scam: କେନ୍ଦୁଝରରେ ଖଣି ଦୁର୍ନୀତି ମାମଲା: ରାଜା ଚକ୍ର ଓ ତାଙ୍କ ସହଯୋଗୀଙ୍କ ଘରେ କ୍ରାଇମବ୍ରାଞ୍ଚ EOW ଚଢ଼ାଉ