ସାରା ଓଡ଼ିଶାରେ କଲବଲ୍ କରୁଛି ତାତି। ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରିଦେଉଛି ଜନଜୀବନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ଏହାରି ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର।

ଆଜି ରାଜ୍ୟର ଦୁଇ ସହରରେ ପାରଦ ୪୪ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା ଓ ତାଳଚେର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି। ଏହା ପଛକୁ ଢେଙ୍କାନାଳ ୪୩.୫ ଡିଗ୍ରୀ ରହିଥିବା ବେଳେ ହୀରାକୁଦ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରି ସମ୍ବଲପୁର ଓ ପାରଳାଖେମୁଣ୍ଡି ୪୩, ବରଗଡ଼ ୪୨.୬ ଡିଗ୍ରୀ, ରାଉରକେଲା, ସୁନ୍ଦରଗଡ଼ ଓ ନୂଆପଡ଼ା ୪୨. ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା ୪୨ ଡିଗ୍ରୀ ଥିବା ବେଳେ ବୌଦ୍ଧ ୪୧.୪, ନୟାଗଡ଼ ଓ ଖୋର୍ଦ୍ଧା ୪୧ ଡିଗ୍ରୀ ରହିଛି। କେନ୍ଦୁଝର ତାପମାତ୍ରା ୪୦.୯ ଡିଗ୍ରୀ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ୪୨ ଡ଼ିଗ୍ରୀ ଛୁଇଁଛି ଦିନର ତାପମାତ୍ରା। ଅପରାହ୍ନ ୧:୩୦ ସୁଦ୍ଧା, ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଥିଲା, ବିମାନବନ୍ଦର ଅଞ୍ଚଳରେ ମଧ୍ୟ ସମାନ ସର୍ବାଧିକ ରେକର୍ଡ କରାଯାଇଥିଲା। ସେପଟେ ଝାରସୁଗୁଡା ସହର ତତଲା କଡ଼େଇରେ ଭାଜି ହେଉଥିବା ବେଳେ ଗତକାଲି ୪୪.୬ ଡ଼ିଗ୍ରୀ ସେଲସିୟସ ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ୪ ଦିନ କଲବଲ କରିବ ତାତି, କାଳବୈଶାଖୀ ଆସିଲେ ହିଁ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *