ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ସ୍କୁଲ୍ଗୁଡ଼ିକ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରାଯିବ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସୂଚନା ଦେଇ କହିଛନ୍ତି ଯେ, ୨୭ ଏପ୍ରିଲ୍ ସୁଦ୍ଧା ସ୍କୁଲ୍ ଛୁଟି ଘୋଷଣା ହୋଇପାରେ । ତାପମାତ୍ରା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ସାମୂହିକ ଗ୍ରୀଷ୍ମ ଛୁଟି ଘୋଷଣା ନେଇ ଆଲୋଚନା ହୋଇଥିଲା ।ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସାମୂହିକ ଛୁଟି ଘୋଷଣା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଲେ ଖୁବ୍ ଶୀଘ୍ର ବିଧିବଦ୍ଧ ଭାବେ ଛୁଟି ଘୋଷଣା କରାଯିବ । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିସାରିଲାଣି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା ଭଳି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି । ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଏଭଳି ସ୍ଥିତିରେ ପିଲାମାନେ ସ୍କୁଲ୍ ଯିବା ଆସିବା କରିବା ଦ୍ୱାରା ଅଂଶୁଘାତ ଭଳି ସମସ୍ୟା ଦେଖାଦେଇପାରେ । ଅଭିଭାବକମାନେ ବି ଆଗୁଆ ଛୁଟି ପାଇଁ ଦାବି କରୁଛନ୍ତି । ପୂର୍ବରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ୍ ସମୟ ସକାଳ ୬:୩୦ରୁ ୧୦:୩୦ ପର୍ଯ୍ୟନ୍ତ କରାଯାଇଥିଲା । ତଥାପି ତାପମାତ୍ରା କମୁନଥିବାରୁ, ପିଲାଙ୍କ ସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମ୍ପୂର୍ଣ୍ଣ ଛୁଟି ଘୋଷଣା ପାଇଁ ସରକାର ବାଧ୍ୟ ହେଉଛନ୍ତି । ଛୁଟି ଘୋଷଣା ହେଲେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍ ବନ୍ଦ ରହିବ । ଛୁଟି କେତେ ଦିନ ରହିବ ଓ କେବେଠୁ ପୁଣି ସ୍କୁଲ୍ ଖୋଲିବ, ସେ ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯିବ ବୋଲି ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି । Post navigation Mega Nijukti Mela in Bhubaneswar: ନିଯୁକ୍ତି ମେଳାରେ ୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର