Odisha Govt appoints 4,623 people from 7 departments under Mega Nijukti Mela in Bhubaneswar
ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅଭିଯାନ କ୍ରମରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ୭ଟି ବିଭାଗର ୪,୬୨୩ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।
 
ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୧୧୩ ଜଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪ ଜଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩ ଜଣ, ଇସ୍ପାତ ଓ ଖଣି ବିଭାଗରେ ୭୭ ଜଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗରେ ୭୦ ଜଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୫୨ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗରେ ୧୪ ଜଣ ନିଯୁକ୍ତି ପତ୍ର ପାଇଛନ୍ତି ।
 
୨୨ ମାସରେ ୧୫ତମ ନିଯୁକ୍ତି ମେଳା ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨୨ ମାସ ଭିତରେ ରାଜ୍ୟ ସରକାର ୧୫ଟି ନିଯୁକ୍ତି ମେଳା ଆୟୋଜନ କରିସାରିଲେଣି ।
 
ରାଜ୍ୟରେ ଯୁବବର୍ଗଙ୍କ ନିଯୁକ୍ତି ସମ୍ୱନ୍ଧରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ଚାକିରୀରେ ୪୪,୦୮୨ ଓ ବେସରକାରୀ କ୍ଷେତ୍ରରେ ୯୨,୦୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ।
 
ଏହି ଅବଧିରେ ୪୪ ହଜାରରୁ ଅଧିକ ଯୁବକ-ଯୁବତୀଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି । ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆଜି ୪,୧୧୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।
 
ଖାଲି ପଦବୀ ପୂରଣ କରିବା ନୁହେଁ, ଯୁବଶକ୍ତିଙ୍କୁ ରାଜ୍ୟ ଗଠନରେ ସାମିଲ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା, ସମୟାନୁବର୍ତ୍ତିତା ଓ ପରିବର୍ତ୍ତନର ଦୃଢ଼ ମନୋଭାବକୁ ପାଥେୟ କରି ତୃଣମୂଳ ସ୍ତରରେ ପ୍ରତିଟି ଓଡ଼ିଆଙ୍କ ଆସ୍ଥାଭାଜନ ହେବେବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଓ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ମିଳୁଛି । ଜନସେବାକୁ ସର୍ବୋଚ୍ଚ ବୃତ୍ତି ଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ କର୍ମକ୍ଷେତ୍ରରେ ପାଳନ କରିବା ପାଇଁ ୫ଟି ପରାମର୍ଶ ଦେଇଥିଲେ ।

୧- ଦୁର୍ନୀତିରୁ ସବୁବେଳେ ଦୂରେଇ ରୁହନ୍ତୁ, ଦୁର୍ନୀତି ବିରୁଦ୍ଧରେ ସରକାର ଶୂନ୍ୟସହନଶୀଳତା ଅବଲମ୍ୱନ କରୁଛନ୍ତି ।

୨- ଗଣତନ୍ତ୍ରରେ ଜନତା ହେଉଛନ୍ତି ଭଗବାନ ଓ ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର । ତେଣୁ ସହୃଦୟତାର ସହିତ ନିଜ ନିଜ ସ୍ତରରେ ଜନତାଙ୍କ କଥା ଶୁଣିବେ ଓ ତା’ର ସମାଧାନ କରିବାକୁ ଚେଷ୍ଟା କରିବେ ।

୩- କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ବୈଚାରିକ ମତ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ସରକାରଙ୍କ ଆଭିମୁଖ୍ୟ ହିସାବରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ।

୪- ସମୟାନୁବର୍ତ୍ତିତା- ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମ୍ପାଦନ କରିବେ ।

୫- କାର୍ଯ୍ୟକ୍ଷେତ୍ରରେ ଭଦ୍ର ଓ ଶାଳୀନତା ସହିତ ବାର୍ତ୍ତାଳାପ ଓ ବ୍ୟବହାର ପ୍ରଦର୍ଶନ କରିବେ । ନଚେତ୍ ନିଜେ ବଦନାମ୍ ହେବା ସହିତ ସରକାର ବଦନାମ୍ ହେବାର ଆଶଙ୍କା ରହିଛି ।

By Nirvay

Leave a Reply

Your email address will not be published. Required fields are marked *