ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଉଭୟ ଲାଇନ ଓ ସ୍ଲଟ୍ ବୁକିଂ ଦର୍ଶନ ଜାରି ରହିବା ନେଇ ଯୋଜନା କରୁଛୁ । ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ୍ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଓ ସୁସଙ୍ଗଠିତ ଭାବରେ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହି ନୂତନ ପ୍ରଣାଳୀକୁ ଆଣିବା ପାଇଁ ଯୋଜନା ଚାଲିଛି। ଏହି ନୂଆ ବ୍ୟବସ୍ଥା ଅନୁସାରେ, ଶ୍ରଦ୍ଧାଳୁମାନେ ପୂର୍ବରୁ ସ୍ଲଟ୍ ବୁକିଂ କରି ନିର୍ଦ୍ଧିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସେଥିପାଇଁ ସ୍ୱତନ୍ତ୍ର ହୋଲଡିଂ ଏରିଆ ବ୍ୟବସ୍ଥା କରାଯିବ, ଯେଉଁଠାରେ ସ୍ଲଟ୍ ବୁକିଂ କରିଥିବା ଭକ୍ତମାନେ ଅପେକ୍ଷା କରିବେ ଏବଂ ପରେ ନିର୍ଦ୍ଧିଷ୍ଟ ସମୟରେ ଦର୍ଶନ ପାଇଁ ପ୍ରବେଶ କରିବେ। ଏହା ସହ ପାରମ୍ପରିକ ଲାଇନ୍ ବ୍ୟବସ୍ଥାକୁ ମଧ୍ୟ ଜାରି ରଖାଯିବ। ଅର୍ଥାତ୍, ସ୍ଲଟ୍ ବୁକିଂ ସହିତ ସାଧାରଣ ଲାଇନ୍ ଦର୍ଶନ ବ୍ୟବସ୍ଥା ମଧ୍ୟ ସମାନ ଭାବେ ଚାଲିବ, ଯାହା ଫଳରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁବିଧା ମିଳିବ। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପ୍ରଥମେ ଏହି ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବରେ (ଟ୍ରାଏଲ) ଆରମ୍ଭ କରାଯିବ। ଏନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଥିବା ବେଳେ, ମ୍ୟାନେଜିଂ କମିଟିର ବୈଠକରେ ଅନ୍ତିମ ନିଷ୍ପତ୍ତି ନିଆଯିବ । ଏହି ପଦକ୍ଷେପ ଲାଗୁ ହେଲେ, ଶ୍ରୀମନ୍ଦିରରେ ଦର୍ଶନ ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ମନେ କରାଯାଉଛି। ଭିଡ଼ ହ୍ରାସ ପାଇବା ସହିତ ଭକ୍ତମାନେ ଅଧିକ ଶାନ୍ତିପୂର୍ଣ୍ଣ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାର ପାରମ୍ପରିକ ଦର୍ଶନ ସିଷ୍ଟମ୍ ସହିତ ଆଧୁନିକ ବୁକିଂ ସୁବିଧାକୁ ସନ୍ତୁଳିତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ସ୍ଲଟ୍ ବୁକିଂ ସିଷ୍ଟମ୍ ଭକ୍ତମାନଙ୍କୁ ପୂର୍ବରୁ ସେମାନଙ୍କର ଦର୍ଶନ ଯୋଜନା କରିବାକୁ ଏବଂ ଦୀର୍ଘ ସମୟ ଅପେକ୍ଷା କରିବାରୁ ରକ୍ଷା କରିବାକୁ ଅନୁମତି ଦେବ। Post navigation Assam CM’s Visit Odisha: ଦିନିକିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା