ମେ’ ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସାରା ରାଜ୍ୟରେ ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ଏସବୁ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ।

୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ଏମିତିକି ଜଣଙ୍କ ନାମରେ ଧର୍ଷଣ ମାମଲା ବି ଅଛି।

ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି ଥିବା ଜଣାଯାଇଛି । କେନ୍ଦୁଝର ଚମ୍ପୁଆର ବିଜେଡ଼ି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ । ସେହିପରି ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।

ସେହିପରି କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ତୃତୀୟ ପର୍ଯ୍ୟାୟର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନାହାନ୍ତି ।

Leave a Reply

Your email address will not be published. Required fields are marked *