ସମ୍ବଲପୁର ଜିଲ୍ଲା ମାହୁଲପାଳ ଥାନାର ଏସ୍.ଆଇ ସୁଜିତ କୁମାର ମହାନ୍ତ ଜଣେ ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍କୁ ଦେଖି ସୁଜିତ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଏକ ପୋଖରୀ ଭିତରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଯୋଜନା ମୁତାବକ, ଗତକାଲି ସନ୍ଧ୍ୟାରେ ଥାନା ବାହାର ଏକ ନିର୍ଜନ ସ୍ଥାନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେଠାରେ ଚଢ଼ଉ କରିଥିଲା। ଭିଜିଲାନ୍ସ କର୍ମଚାରୀଙ୍କୁ ଦେଖିବାକ୍ଷଣି ଏସ୍.ଆଇ. ମହାନ୍ତ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ଏବଂ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ମଧ୍ୟ ସାଙ୍ଗେ ସାଙ୍ଗେ ପାଣିକୁ ଡେଇଁ ତାଙ୍କୁ ପିଛା କରିଥିଲେ ଏବଂ ଶେଷରେ ପାଣି ଭିତରୁ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ସଫଳ ଟ୍ରାପ୍ ପରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ତଲାସୀ ଅଭିଯାନ ଜାରି ରଖିଥିଲା। ଏହି କ୍ରମରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଅତିରିକ୍ତ ୧,୫୫,୭୦୦ ଟଙ୍କା ନଗଦ ଜବତ କରାଯାଇଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ପୋଲିସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ୍, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। Post navigation Controversy in Kotia: କୋଟିଆ ବାସିନ୍ଦା ଦେଲେ ଆନ୍ଧ୍ର ପଞ୍ଚାୟତ ଭୋଟ୍: ପୁଲିସ୍-ଜନତା ମୁହାଁମୁହିଁ