ଖଇରା : ରାଜନୀତିରେ  ଦଲବଦଳ କିଛି ବଡ କଥା ନୁହେଁ ।  ଗତକାଲି ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ପଦାଙ୍କ ଅନୁସରଣ କରି ଖଇରା ବ୍ଲକ୍‌ର ପ୍ରାୟ ୧୮ ଜଣ ଛାମୁଆ ନେତା ଦଳରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ୧୪ ଜଣ ବିଜେପିରେ ସାମିଲ ହୋଇଛନ୍ତି। ତେବେ ଇସ୍ତଫା ଦେବାର ୨୪ ଘଣ୍ଟା ନ ପୁରୁଣୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଦଳକୁ ଫେରି ଆସିଥିଲେ।
ସୂଚନାଯୋଗ୍ୟ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଘର ବାହୁଡା ହୋଇଥିଲେ ମଧ୍ୟ ତାଙ୍କ ସହ ଯାଇଥିବା ୧୮ ଜଣ ଛାମୁଆ ନେତାମାନେ ଆଉ ଦଳକୁ ଫେରି ନଥିଲେ। ସେମାନଙ୍କ ମଧ୍ୟରୁ ଆଜି ୧୪ ଜଣ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ବିଜେପି ପକ୍ଷରୁ କୁପାରୀରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସିମୁଳିଆ ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ଉପସ୍ଥିତିରେ ଖଇରା ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ସରପଞ୍ଚ ପ୍ରକାଶ କୁମାର ଲେଙ୍କା, ଗୋଳିହା ସେବା ସମବାୟ ସମିତିର ସଭାପତି ରମେଶ କୁମାର ଘଡ଼େଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କଳ୍ପନା ନାଇକି, ପୂର୍ବତନ ସରପଞ୍ଚ ଭବଜ୍ୟୋତ୍ସ୍ନା ନାୟକ, ପୂର୍ବତନ ସମିତି ସଭ୍ୟ ସୁନିତା ସାହୁ, ଶଶାଙ୍କ ମହାପାତ୍ର, ଗୋଳିହା ପଞ୍ଚାୟତ ସଭାପତି ପ୍ରଦୀପ କୁମାର ସାମଲଙ୍କ ସମେତ ୧୪ ଜଣ ନେତା ବିଜେପିରେ ସାମିଲ ହୋଇଥିଲେ। ଉଭୟ ପ୍ରାର୍ଥୀଙ୍କୁ ଦଳ ସ୍ୱାଗତ କରିଥିଲା । ଉକ୍ତ ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ରାଜେଶ କୁମାର ମହାକୁଡ଼, ମଣ୍ତଳ ସଭାପତି ପତିତପାବନ କର, ଅଜୁ ଖିଲାର, ଯୁବନେତା ଅଣୁମାଧବ ପଣ୍ଡା, ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

By SonaliP

Leave a Reply

Your email address will not be published. Required fields are marked *