ରାଜ୍ୟରେ ପ୍ରଥମ କରି ସରକାର କରିଥିବା ବିଜେପି ଆଜି ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛି। ବିଜେଡି ସରକାରର ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କୁ ଗୁରୁତ୍ବହୀନ ପଦବୀକୁ ବଦଳି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ଲେହାପୁଅ ସାଜିଥିବା ଆଇଏଏସ୍ ଜି.ମାଥିଭାଥାନନ୍‌ ଓ ଆର.ଭିନିଲ କ୍ରିଷ୍ଣାଙ୍କୁ ବଡ଼ ଝଟକା ଲାଗିିଛି। ତେବେ ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା ଓ ଉଷା ପାଢ଼ୀ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ।

୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗରୁ ବଦଳି କରାଯାଇ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି। ଭିନିଲ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚର ଆଇଏଏସ୍‌ ତଥା ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାସ୍କରଜ୍ୟୋତି ଶର୍ମାଙ୍କୁ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ତଥା ୧୯୯୩ ବ୍ୟାଚ୍‌ର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ୧୯୯୩ ବ୍ୟାଚର ଆଇଏଏସ୍‌ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ମିଳିଛି। ୧୯୯୪ ବ୍ୟାଚର ଆଇଏଏସ୍‌ ଜି. ମାଥିଭାଥାନନ୍‌ଙ୍କୁ ଗୋପବନ୍ଧୁ ଏକାଡେମୀରେ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ୧୯୯୫ ବ୍ୟାଚର ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି।

୧୯୯୬ ବ୍ୟାଚର ଆଇଏଏସ୍‌ ତଥା ଓଏସ୍‌ଏସ୍‌ଏସ୍‌ସିର ଅଧ୍ୟକ୍ଷ ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ୧୯୯୬ ବ୍ୟାଚର ଆଇଏଏସ୍‌ ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ୧୯୯୬ ବ୍ୟାଚର ବିଶାଳ କୁମାର ଦେବଙ୍କୁ ଆଇଟି ବିଭାଗରେ ଅବସ୍ଥାପିତ କରାଯାଇଛି।

Leave a Reply

Your email address will not be published. Required fields are marked *