ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଶହ ଶହ ଗୁରୁତର ତ୍ରୁଟିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ରକାଶିତ ହୋଇଥିବା ବହିଗୁଡ଼ିକରେ ହୋଇଥିବା ଏହି ଅବହେଳାକୁ ଗୁରୁତର ସହ ନେଇ PMO ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗକୁ କୈଫିୟତ ତଲବ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପଠାଯାଇଥିବା ନିର୍ଦ୍ଦେଶନାମାରେ ଏହି ପାଠ୍ୟପୁସ୍ତକ ତ୍ରୁଟି ମାମଲାର ସବିଶେଷ ତଥ୍ୟ ମଗାଯାଇଛି। ଏତେ ବଡ଼ ଭୁଲ କାହିଁକି ଓ କିପରି ହେଲା, ଏହି ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଏଥିପାଇଁ କେଉଁ କେଉଁ ଅଫିସର ଓ ବ୍ୟକ୍ତିବିଶେଷ ଦାୟୀ, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକାର ଦୁର୍ନୀତି ଓ ନିମ୍ନମାନର ପରିଚାଳନା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀ ଅତ୍ୟନ୍ତ ଭୁଲ୍ ଓ ତ୍ରୁଟିପୂର୍ଣ୍ଣ ବହି ପଢ଼ିବାକୁ ବାଧ୍ୟ ହୋଇଛନ୍ତି। ଗତ ଶୁକ୍ରବାର ଦିନ ଓଡ଼ିଶା ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଦ୍ୱାରା ଦିଆଯାଇଥିବା ଲିଖିତ ଉତ୍ତର ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ମୋଟ ୧,୭୪୧ଟି ଗୁରୁତର ଭୁଲ୍ ଚିହ୍ନଟ ହୋଇଛି, ଯାହାର ଛପା ଓ ପ୍ରକାଶନ ପାଇଁ ସରକାରୀ କୋଷାଗାରରୁ ୧୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ PMO ର ସିଧାସଳଖ ହସ୍ତକ୍ଷେପ ପରେ ଏହି ସମ୍ବେଦନଶୀଳ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶା କରାଯାଉଛି। Post navigation Vigilance Raids Sambalpur Asst Director: ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ एशियन गेम्स 2026: नीरू ढांडा ने महिलाओं की ट्रैप शूटिंग में जीता गोल्ड, रचा इतिहास