ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ବିକାଶ ମନ୍ତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି । ସେ କହିଥିଲେ, ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଥିବା ବେଳେ ଏହି ସମୟ ମଧ୍ୟରେ ମହାପୁରୁଷମାନଙ୍କ ସ୍ୱପ୍ନ ପୂରଣ ଦିଗରେ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୟୂରଭଞ୍ଜର ଜଣେ ଝିଅ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି । ତାଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ସହ ଆଲୋଚନା କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ । ମୋଦି କହିଥିଲେ ଯେ, ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ଗଢ଼ି ତୋଳିବା ଦିଗରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ବିଭିନ୍ନ ସୁବିଧା ପାଇପାରିବେ । ରାଜ୍ୟର ସବୁ କ୍ଷେତ୍ରରେ ବିକାଶ ପାଇଁ ବ୍ୟାପକ ପୁଞ୍ଜିନିବେଶ ଆସୁଛି । ‘ଉତ୍କର୍ଷ ଓଡ଼ିଶା’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିବା ବେଳେ ଶକ୍ତି କ୍ଷେତ୍ର ପାଇଁ ୬ ହଜାର କୋଟି ଟଙ୍କାର ନିବେଶ ଆସିଛି । ଡବଲ୍ ଇଞ୍ଜିନ ସରକାର ଯୋଗୁଁ କେନ୍ଦ୍ର ଓ ରାଜ୍ୟର ଯୋଜନାଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚିପାରିଛି ବୋଲି ସେ କହିଥିଲେ । ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ ଭଳି ଜନକଲ୍ୟାଣକାରୀ ଯୋଜନା ରାଜ୍ୟରେ ସଫଳତାର ସହ ଲାଗୁ ହୋଇଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରୁଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନଜାତି ସମାଜର ବିକାଶ ପାଇଁ ‘ପିଏମ ଜନମନ ଯୋଜନା’ ଆରମ୍ଭ କରାଯାଇଛି । ଏହା ସହିତ ମୟୂରଭଞ୍ଜ ଜିଲ୍ଲାରେ ଆଉ ଏକ ନବୋଦୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଥିବା ଘୋଷଣା କରିଥିଲେ । ଶେଷରେ ଆସନ୍ତା ଯୋଗ ଦିବସରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ । Post navigation Odisha Vigilance arrests Kotpada AEE in DA Case 2nd Anniversary Celebrations of BJP’s Govt in Odisha: ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ