କୌଣସି ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିନାହାନ୍ତି । ଚୂଡ଼ାନ୍ତ ହେଉହେଉ ଆସନ୍ତା ସପ୍ତାହ ହୋଇଯିବ । ଆସନ୍ତା ସପ୍ତାହରେ ଅର୍ଥାତ ଶୁକ୍ରବାର ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଯିବ । ଏବେଠୁ କିନ୍ତୁ ଓଡ଼ିଶାରେ ଆଲୋଚନା ହେଲାଣି ଯେ, କିଏ କିଏ ଆସିବେ ନିର୍ବାଚନ ପ୍ରଚାରକୁ । ସବୁଠୁ ରୋଚକ ତଥ୍ୟ ହେଲା, ଅଧିକାଂଶ ଅଞ୍ଚଳରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବାକୁ ଚାହାନ୍ତି ପ୍ରଚାର ପର୍ବରେ ।

ଭାରତୀୟ ଜନତା ପାର୍ଟି ପାଖରେ ତାରକା ପ୍ରଚାରକଙ୍କ ଅଭାବ ନାହିଁ । ସୁପର ତାରକା ପ୍ରଚାରକ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତା’ଛଡ଼ା ରୋକଠୋକ କହୁଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଅଛନ୍ତି । ଯାହାଙ୍କୁ କୁହାଯାଉଛି ଆଧୁନିକ ଯୁଗର ଚାଣକ୍ୟ । କିନ୍ତୁ ଭାଜପା ନେତାମାନଙ୍କୁ ଛାଡ଼ି ଲୋକମାନେ ମଧ୍ୟ ଅପେକ୍ଷା କରୁଛନ୍ତି ଯେ, ସେମାନଙ୍କ ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଆସନ୍ତୁ ଯୋଗୀ ।

ଯୋଗୀଙ୍କ ସ୍ୱତନ୍ତ୍ର ଆବେଦନ ବା କ୍ରେଜ୍‌ ଅଛି ଲୋକଙ୍କ ଭିତରେ । ଏକେତ ସନ୍ନ୍ୟାସୀ । ଦ୍ୱିତୀୟରେ ୟୁପିରେ ଆଇନଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ସହ ମାଫିଆମାନଙ୍କୁ ଯେଭଳି ସଫା କରାଯାଉଛି, ତାହାକୁ ନେଇ ଯୋଗୀଙ୍କ ଚର୍ଚ୍ଚା ଲୋକଙ୍କ ଭିତରେ ବେଶୀ । ସେ ରାମ ହାୱା ଓ ସନାତନୀ ଭାବନା ବଢ଼ାଇ ଦେଇପାରିବେ ବୋଲି ବିଜଦ ପ୍ରାର୍ଥୀମାନେ ମଧ୍ୟ କହୁଛନ୍ତି । ପଶ୍ଚିମ ଓଡ଼ିଶାରେ ଭାଜପା ପ୍ରଚାର କାର୍ଯ୍ୟରେ ଲଗାଇବ ଯୋଗୀ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ । ପଶ୍ଚିମ ଓଡ଼ିଶାରେ ରାମ ହାୱା ଭାଜପାକୁ ଅଧିକ ସୁହାଇବ ।

ଦଳୀୟ ସୂତ୍ର ଅନୁସାରେ ଏପର୍ଯ୍ୟନ୍ତ କୌଣସି କେନ୍ଦ୍ର ନେତାଙ୍କର ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ । କିନ୍ତୁ ସବୁ ତୁଙ୍ଗ ନେତା ଏପରିକି ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଏକାଧିକବାର ପ୍ରଚାରକୁ ଆସିବେ । ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ଚାରିଥାକିଆ ନିର୍ବାଚନ ହେବ । ଏହି ସମୟ ଭିତରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଭାଜପାର ଫୋକସରେ ରହିବ ।

କଂଗ୍ରେସ ମଧ୍ୟ ହାଇଭୋଲଟେଜ ପ୍ରଚାର କରିବ ବୋଲି ଏହାର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ନିର୍ଭୟକୁ କହିଛନ୍ତି ।ଅସୁସ୍ଥତା ସତ୍ତ୍ୱେ ସୋନିଆ ଗାନ୍ଧୀ ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ ବୋଲି ତାଙ୍କଠୁ ସୂଚନା ମିଳିଛି । ତା’ଛଡ଼ା ପ୍ରିୟଙ୍କା ଏବଂ ରାହୁଲ ଯୁବ ଭୋଟରଙ୍କୁ ଅଧିକ ଆକର୍ଷିତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଇନ୍ଦି ମେଣ୍ଟର କିଛି ନେତା ମଧ୍ୟ କଂଗ୍ରେସ ଓ ସହଯୋଗୀ ଦଳ ପାଇଁ ପ୍ରଚାରକୁ ଆସିବେ ବୋଲି କହିଛନ୍ତି ଭକ୍ତ ।

ବିଜୁ ଜନତା ଦଳ ପ୍ରଚାର ପାଇଁ ବେଶୀ ନିର୍ଭର କରିବ ନବୀନ ପଟ୍ଟନାୟକ ଉପରେ । ସେ ହିଁ ହେବେ ତାରକା ପ୍ରଚାରକ । ତେବେ ସମସ୍ୟା ହେଉଛି ବୟସ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେ ଚାରିଥାକିଆ ନିର୍ବାଚନରେ କେତେଦୂର ସକ୍ରିୟ ହୋଇପାରିବେ? ଜନଶୁଣାଣି କାର୍ଯ୍ୟକ୍ରମରେ ଦଳ ଏବଂ ସରକାର ପାଇଁ ୩୦ଟି ଜିଲାକୁ ଦୁଇ ରାଉଣ୍ଡ ଗସ୍ତ କରିଥିବା ଭିକେ ପାଣ୍ଡିଆନ ବିଜଦ ସକାଶେ ପ୍ରଚାରର ମଙ୍ଗ ଧରିବେ କି? ଏହା ସବୁଠୁ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ପ୍ରଚାରକ ଦୃଷ୍ଟିରୁ ଭାଜପା ସବୁଠୁ ସୁବିଧାଜନକ ସ୍ଥିତିରେ ରହିବ, ଏଥିରେ ସନ୍ଦେହ ନାହିଁ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *