କୋଟିଆ ସୀମା ବିବାଦକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟାନୁଷ୍ଠାନ ଏବଂ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଅବମାନନା ଅଭିଯୋଗରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ସରକାର ଏହି ମାମଲା ଦାୟର କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, କୋଟିଆ ଗ୍ରାମପୁଞ୍ଜ ସୀମା ବିବାଦ ନେଇ ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କ୍ରମାଗତ ଭାବେ ଅବମାନନା କରିଆସୁଛନ୍ତି।

​ଗତ ଅକ୍ଟୋବର ୧୦ ତାରିଖରେ ଆନ୍ଧ୍ର ସରକାର ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ନିର୍ବାଚନ ବିଜ୍ଞପ୍ତିରେ ଆନ୍ଧ୍ର ବେଆଇନ ଭାବେ ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜକୁ ସାମିଲ କରିଛି। ଏହା ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସ୍ଥିତାବସ୍ଥା ନିର୍ଦ୍ଦେଶର ସ୍ପଷ୍ଟ ପରିପନ୍ଥୀ ଏବଂ ଆଦେଶ ଅବମାନନା ଅଟେ।

ଏହି ପରିପ୍ରେକ୍ଷୀରେ ଆନ୍ଧ୍ରର ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ସଚିବ, ଗୃହ ସଚିବ ଏବଂ ପାର୍ବତୀପୁରମ ଜିଲ୍ଲାପାଳଙ୍କ ନାଁରେ କୋର୍ଟ ଅବମାନନା ମାମଲା ଦାୟର କରାଯାଇଛି।

Leave a Reply

Your email address will not be published. Required fields are marked *