ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସୃଷ୍ଟି ହୋଇଛି ସୁସ୍ପଷ୍ଟ ଲଘୁଚାପ। ଏହା ଆଗାମୀ ସମୟରେ ଅଧିକ ଶକ୍ତିଶାଳୀ ହୋଇ ଅବପାତର ରୂପ ନେବ। ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ୨୬ ତାରିଖ ବେଳକୁ ଏକ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହି ବାତ୍ୟାଟି ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ ବୋଲି ଜଣାପଡ଼ିଛି।

ଆଜି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସମ୍ପର୍ଣ୍ଣରେ ସ୍ପଷ୍ଟ ସୂଚନା ମିଳିବ। ତଥାପି ବର୍ତ୍ତମାନର ଆକଳନ ଅନୁଯାୟୀ ୨୬ ତାରିଖ ସକାଳ ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନ ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ବୋଲି ସୂଚନା ମିଳିଛି।

ବାତ୍ୟାଟି ଉପକୂଳ ଆଡ଼କୁ ଯେତିକି ପାଖକୁ ଆସିବ, ପବନର ବେଗ ସେତିକି ଅଧିକ ବୃଦ୍ଧି ପାଇବ ବୋଲି କୁହାଯାଉଛି। ତେବେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟାର ପ୍ରକୃତ ବେଗ କେତେ ରହିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଆକଳନ କରାଯାଇ ନାହିଁ।

ସମୁଦ୍ର ମଧ୍ୟରେ ସ୍ଥିତି ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ପ୍ରଭାବ ବଢ଼ିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *