ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାୟ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଷ୍ଟାର ପ୍ରଚାରକ ଲିଷ୍ଟ ଘୋଷଣା କରି ସାରିଛନ୍ତି। ଏହି ଧାରାରେ ଓଡ଼ିଶାକୁ ବିଜେପି ଓ କଂଗ୍ରେସ ଦଳର ଶୀର୍ଷ ନେତା ଗସ୍ତ କରି ପ୍ରଚାର ଆରମ୍ଭ କରିଛନ୍ତି। ଅନ୍ୟପଟେ ବିଜେଡି ବି ପ୍ରଚାର ଜୋରଦାର କରିଛି। ହେଲେ ଏଥର ବିଜେଡ଼ି ପାଇଁ ବିଜୟ ସେତେ ସହଜ ହୋଇ ନପାରେ।

ଗୋଟିଏ ସପ୍ତାହରେ ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସି ନିଜ ନିଜ ଦଳର ନେତାଙ୍କ ପାଇଁ ଭୋଟ ମାଗିଛନ୍ତି। ତେବେ ଏଥର ବିରୋଧୀ ଶାସକ ଓଡ଼ିଶା ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲାଉଥିବା ଭିକେ ପାଣ୍ଡିଆନ ଦଳର ପ୍ରଚାର ମଙ୍ଗ ଧରିଥିବା ବେଳେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ତାଙ୍କୁ ସିଧା ନିଶାନା କରିଛନ୍ତି ବିଜେପିର ଟପ୍ ଲିଡର।

ଅଧିକ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ। ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ମୋଦି ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତିର ସଙ୍କଟରେ ଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଓଡ଼ିଶାରେ ବିଜେଡି ଠାରୁ ବିଜେପି ଅଲଗା ରହିଛି । ବିଭିନ୍ନ ପ୍ରସଙ୍ଗ ଆଧାରରେ ବିଜେଡି କେନ୍ଦ୍ରର ଏନଡିଏ ସରକାରକୁ ସମର୍ଥନ କରି ଆସୁଛି । ଏମିତି ଅନେକ ଦଳ ରହିଛନ୍ତି, ଯେଉଁମାନେ ପ୍ରସଙ୍ଗ ଆଧାରରେ ମୋଦି ସରକାରଙ୍କୁ ସମର୍ଥନ ଜଣାଇ ଆସୁଛନ୍ତି । ବିଜେଡି ସହ ଓଡ଼ିଶାରେ ଆମ ସମ୍ପର୍କ ପୁରା ଅଲଗା । ଓଡ଼ିଶାର ପୁରା ଅସ୍ମିତା ଶେଷ ହେବାକୁ ବସିଛି । ଓଡ଼ିଶାର ଅସ୍ମିତା ଏବେ ସଂକଟରେ । ଓଡ଼ିଆ ଭାଷା ବିପଦରେ ପଡ଼ିଛି । ମୋତେ ଲାଗୁନି ଓଡ଼ିଶାର ଲୋକେ ବିଜେଡିକୁ ଅଧିକ ଦିନ ଧରି ସହ୍ୟ କରିବେ । ଆଜି ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟ ହୋଇପାରିଥାନ୍ତା । ସବୁଠୁ ଧନୀ ରାଜ୍ୟ । କିନ୍ତୁ କ’ଣ କରି ରଖିଛନ୍ତି ? ମୋତେ ଲାଗୁଛି, ଆମକୁ ସେବାର ସୁଯୋଗ ମିଳିବା ଦରକାର । ଆମେ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇ ଦେବୁ ।

ସେହିପରି ରବିବାର ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡିକୁ ତୀବ୍ର ସମାଲୋଚନା କରିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ବିଜେଡି ସରକାର ବାହାର ଲୋକଙ୍କୁ ପ୍ରଶ୍ରୟ ଦେଉଛି ଓ ଓଡ଼ିଶାବାସୀ ଏଥିପ୍ରତି ସତର୍କ ରୁହନ୍ତୁ ବୋଲି ନଡ୍ଡା କହିଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ନେତୃତ୍ୱ ନେବାକୁ କେହି ଓଡ଼ିଆ ନେତା ଏଠାରେ ନାହାନ୍ତି କି? ବାହାରୁ ନେତା ଆପଣ ଆଣିବେ କି? ଆମଦାନୀ କରିବେ କି? ଆପଣମାନେ ମାଟିର ପୁଅକୁ ନେତା କରିବେ ନା ବାହାର ଲୋକଙ୍କୁ ଆଣିବେ ?

ଏବେ ସରକାର ବାହାର ଲୋକଙ୍କୁ ଆଣିବାକୁ ପ୍ରୟାସ କରୁଛନ୍ତି। ଏଥିପ୍ରତି ସତର୍କ ରୁହନ୍ତୁ। ନବୀନ ବାବୁ ଯେମିତି ସରକାର ଚଳାଉଛନ୍ତି, ସେଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଏହା ଓଡ଼ିଶା ଅସ୍ମିତା ପ୍ରତି ଚିନ୍ତାର ବିଷୟ। ଆପଣମାନଙ୍କୁ ଏହାର ଜବାବ ପଦ୍ମ ଫୁଲ ବଟନ ଦବାଇ ଦେବାକୁ ପଡ଼ିବ ବୋଲି ନଡ୍ଡା କହିଥିଲେ।”

ସେହିପରି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ପିନ୍ଧା ଭିଡିଓକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତାମିଲ ସଂସ୍କୃତିକୁ ପ୍ରୋତ୍ସାହନ କରାଯାଉଛି କହି ବିଜେଡିକୁ ଟାର୍ଗେଟ କରିଥିଲେ। ଏବଂ ତାଙ୍କ ନିର୍ବାଚନୀ ପ୍ରଚାରରେ ସେ ଅନେକ ଥର ଓଡ଼ିଶା ଅସ୍ମିତା ସୁରକ୍ଷା ବନାମ କ୍ରିତଦାସ କଥା ଉଠାଇଛନ୍ତି। ସେହିପରି ରାଜ୍ୟ କଂଗ୍ରେସ ମଧ୍ୟ ଓଡ଼ିଶା ଅସ୍ମିତା ଅସୁରକ୍ଷିତ ବିଜେଡି ଶାସନରେ, ଓଡ଼ିଶାରୁ ଅଣ ଓଡ଼ିଆ ଶାସନ ହଟେଇବାକୁ ହେବ ବୋଲି କହି ଆସୁଛି। ରବିବାର ସାଲେପୁରରେ ନ୍ୟାୟ ସମାବେଶରେ ଯୋଗ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିଜେଡି ଆଉ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ।

ବିଜେଡି ମଧ୍ୟ ଓଡ଼ିଶା ଅସ୍ମିତା,ଭାଷା ଓ ସଂସ୍କୃତିର ବିକାଶ ପାଇଁ ସବୁବେଳେ ଆଗୁଆ ବୋଲି ତାର ନିର୍ବାଚନୀ ପ୍ରଚାରରେ ମୁଦା କରିଥିଲେ ହେଁ ଦଳରେ ପାଣ୍ଡିଆନଙ୍କ ପ୍ରଵେଶ ସାଧାରଣ ଲୋକଙ୍କୁ ମଧ୍ୟ ହଜମ ହେଉନି। ଏଥର ପାଣ୍ଡିଆନଙ୍କ ପାଇଁ ବଡ କ୍ଷତି ସହିବ ବିଜେଡି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ତେବେ ଦେଖବାକୁ ଅପେକ୍ଷା ଓଡ଼ିଶା ଅସ୍ମିତା କାହାକୁ ଏଇ ନିର୍ବାଚନୀ ବୈତରଣୀ ପାର କରାଉଛି।

By Nirvay

Leave a Reply

Your email address will not be published. Required fields are marked *