ନୟାଗଡ ଜିଲ୍ଲାର ଓଡଗାଁ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଜିତ ସାହୁ ହତ୍ୟା ମାମଲାରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଭୁଲବଶତଃ ଅଭିଯୁକ୍ତ ଭାବରେ ଉପସ୍ଥାପନ କରିବା ପରେ ଓଡ଼ିଶା ପୋଲିସ ଲଜ୍ଜାର ସମ୍ମୁଖୀନ ହୋଇଥିଲା। ନୟାଗଡ ଓଡ଼ଗାଁ ଥାନା କଦଳୀ ବନ୍ଧ ଅଜିତ ସାହୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ପୋଲିସ ମୁକ୍ତ କରିଛି । ଏହା ପରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ; ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ ସାହୁଙ୍କୁ ଅତି ବୀଭତ୍ସ ଭାବେ ପଥର ମାଫିଆମାନେ ହତ୍ୟା କରିଥିଲେ । ମାଙ୍କଡ଼ା ପଥର ଚୋରା ଚାଲାଣକୁ ବିରୋଧ କରିବା ସମୟରେ ଅଭିଯୁକ୍ତମାନେ ଅଜିତଙ୍କ ଦୁଇ ହାତ କାଟି ଦେବା ସହ ଶରୀରର ବିଭିନ୍ନ ସ୍ଥାନରେ ମାରାତ୍ମକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମେ ୧୨ ତାରିଖରେ ଏକ ପ୍ରେସ ବ୍ରିଫିଂ ସମୟରେ, ଇନ୍ସପେକ୍ଟର ଜେନେରାଲ ସତ୍ୟଜିତ ନାୟକ ଗିରଫଦାରୀ ଘୋଷଣା କରିଥିଲେ ଏବଂ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ ମକରପଡାର ଶ୍ରୀଧର ସାହୁ ମଧ୍ୟ ଥିଲେ। ଅଧିକାରୀମାନେ ସନ୍ଦିଗ୍ଧଙ୍କୁ ପ୍ରକାଶ କରିବା ସମୟରେ, ଶ୍ରୀଧର ହଠାତ୍ ନିର୍ଦ୍ଦୋଷ ବୋଲି ଚିତ୍କାର କରି ପ୍ରତିବାଦ କରିଥିଲେ । ଅଜିତ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଓଡ଼ଗାଁ ପୋଲିସ କୋମଣ୍ଡ ଅଞ୍ଚଳର ଶ୍ରୀଧର ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା।କିନ୍ତୁ ଗିରଫ ସମୟଠାରୁ ହିଁ ଶ୍ରୀଧର ନିଜକୁ ନିର୍ଦୋଷ ବୋଲି ଚିତ୍କାର କରି କହିଆସୁଥିଲେ। ଶ୍ରୀଧର ବାରମ୍ବାର କହୁଥିଲେ, “ମୁଁ ନିର୍ଦ୍ଦୋଷ, ମୁଁ କିଛି ଜାଣିନାହିଁ।” ଏହି ଘଟଣାଟି ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଥିଲା। ଗତକାଲି ଶ୍ରୀଧରଙ୍କୁ ପୋଲିସ ମୁକ୍ତ କରିଥିବା ସୂଚନା ମିଳିଛି। ସେପଟେ ନୟାଗଡ଼ ଏସପି ଭୁଲ ସ୍ୱୀକାର କରିବା ବଦଳରେ ସଫେଇ ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ଗିରଫ ନୁହେଁ ବରଂ ଅଟକ ରଖାଯାଇଥିଲା । Post navigation No Oil Crisis in Odisha: ରାଜ୍ୟରେ ନାହିଁ ତେଲ ସଙ୍କଟ ନାହିଁ: ଯୋଗାଣ ସଚିବ