ଓଡ଼ିଶାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ଇ-ଚାଲାଣ କାଟିବା ପ୍ରକ୍ରିୟାରେ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି। ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (ସିଏଜି) ନିଜ ରିପୋର୍ଟରେ ପରିବହନ ବିଭାଗର ଏହି ବଡ଼ ଧରଣର ତ୍ରୁଟିକୁ ପଦାରେ ପକାଇଛନ୍ତି। ବାଇକ ଚାଳକ ସିଟ୍ବେଲ୍ଟ ପିନ୍ଧି ନଥିବା ଅଭିଯୋଗରେ ଏବଂ କାର୍ କିମ୍ବା ଅନ୍ୟ ଚାରିଚକିଆ ଯାନ ଚାଳକ ହେଲମେଟ୍ ପିନ୍ଧି ନଥିବା ଅଭିଯୋଗରେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସିଏଜି ରିପୋର୍ଟରୁ ପ୍ରକାଶ ପାଇଛି। ୨୦୧୯ରୁ ୨୦୨୪ ମସିହା ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ‘ବାହନ’ ଏବଂ ‘ଇ-ଚାଲାଣ’ ସିଷ୍ଟମ୍ର ଡାଟା ସମୀକ୍ଷା କରିବା ପରେ ସିଏଜି ଦେଖିବାକୁ ପାଇଛନ୍ତି ଯେ, ମୋଟ ୨,୯୮୮ଟି ଦୁଇଚକିଆ ଯାନ ବା ବାଇକ୍ ନାମରେ ସିଟ୍ବେଲ୍ଟ ନବାନ୍ଧିବା ଦର୍ଶାଇ ପାଖାପାଖି ୨୯.୮୮ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । ସେହିପରି ୪,୭୮୬ଟି ତିନି ଓ ଚାରିଚକିଆ ଯାନ ଅର୍ଥାତ୍ କାର୍ ଓ ଅଟୋ ଉପରେ ହେଲ୍ମେଟ୍ ନପିନ୍ଧିବା ଅଭିଯୋଗ ଆଣି ମୋଟ ୪୭.୮୬ ଲକ୍ଷ ଟଙ୍କାର ଇ-ଚାଲାଣ କଟାଯାଇଛି । ପରିବହନ ବିଭାଗ ଏବଂ ଚାଲାଣ କାଟୁଥିବା ଅଧିକାରୀଙ୍କ ଏଭଳି ଅବହେଳାପୂର୍ଣ୍ଣ ମନୋଭାବକୁ ସିଏଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବାହନ ସିଷ୍ଟମ୍ରେ ଉପଯୁକ୍ତ ଯାଞ୍ଚ କଣ୍ଟ୍ରୋଲ୍ ବା ସଫ୍ଟୱେର୍ ଭାଲିଡେସନ୍ ନଥିବାରୁ, ଯେଉଁ ଗାଡ଼ି ପାଇଁ ଯେଉଁ ନିୟମ ପ୍ରଯୁଜ୍ୟ ନୁହେଁ, ସେଥିରେ ମଧ୍ୟ ସିଷ୍ଟମ୍ ନିର୍ବିଚାରରେ ଚାଲାଣ ଜାରି କରିଦେଉଥିବା ରିପୋର୍ଟରେ ଦର୍ଶାଯାଇଛି । ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, କେବଳ ଦୁଇଚକିଆ ଯାନ ପାଇଁ ହେଲ୍ମେଟ୍ ଏବଂ ଚାରିଚକିଆ ଯାନ ପାଇଁ ସିଟ୍ବେଲ୍ଟ ବାଧ୍ୟତାମୂଳକ । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ନିରୀହ ସାଧାରଣ ଜନତା ଏଭଳି ଅଦ୍ଭୁତ ଜରିମାନାର ଶିକାର ହୋଇଛନ୍ତି । ଏହି ଘଟଣାରେ ଓଡ଼ିଶା ସରକାର ଜୁନ୍ ୨୦୨୫ରେ ଇ-ଚାଲାଣର ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ବି ସିଏଜି ସ୍ପଷ୍ଟ କରିଛନ୍ତି ଯେ ଏହି ତଥ୍ୟ ନଭେମ୍ବର ୨୦୨୪ରେ ହିଁ ରାଜ୍ୟ ପରିବହନ ପ୍ରାଧିକରଣ କୁ ଜଣାଇ ଦିଆଯାଇଥିଲା। ଏହିଭଳି ଦାୟିତ୍ୱହୀନତାକୁ ଗମ୍ଭୀରତାର ସହ ନେଇ ସିଏଜି ଭୁଲ୍ ଚାଲାଣଗୁଡ଼ିକୁ ତୁରନ୍ତ ରଦ୍ଦ କରିବା ସହ ଅସଂଗତ ଉପାୟରେ ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି। Post navigation Odisha Climate Suits Orangutans: ଉଦ୍ଧାର ଓରାଙ୍ଗୁଟାନଙ୍କୁ ସୁହାଉଛି ଓଡ଼ିଶାର ଜଳବାୟୁ, ଖୁବଶୀଘ୍ର ହେବ ଡିଏନ୍ଏ ଟେଷ୍ଟ: ଗଣେଶ ରାମ ସିଂ ଖୁଣ୍ଟିଆ Odisha Records 29% Excess Monsoon Rainfall: ଦେଶସାରା ବର୍ଷା ନିଅଣ୍ଟିଆ କିନ୍ତୁ ଓଡ଼ିଶାରେ ଉତ୍ସାହଜନକ ୨୯% ଅଧିକ ବର୍ଷା ରେକର୍ଡ