ଆଜି ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ସନ୍ଧ୍ୟାରେ ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଛନ୍ତି । ନେତାମାନେ ଭେଟି ନିର୍ବାଚନରେ ପରାଜୟର କାରଣ ବିଷୟରେ ତର୍ଜମା କରିବାକୁ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ସେ ନେତାମାନଙ୍କ ମନୋବଳ ବଢ଼ାଇଥିବା ଦେଖାଯାଇଛି।

ସେହିପରି ଆଜି ନବୀନ ନିବାସରେ ହୋଇଥିବା ଦଳୀୟ ନେତାଙ୍କ ବୈଠକରେ ଅନୁପସ୍ଥିତଥିଲେ ପାଣ୍ଡିଆନ । ତେବେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଏବେ କେଉଁଠାରେ ଏବଂ ଏଭଳି ଗାଏବ ହେବା ପଛରେ କି କାରଣ ରହିଛି ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି।

ଅନ୍ୟପଟେ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ନବନିର୍ବାଚିତ ଦଳୀୟ ବିଧାୟକମାନେ ଆସିଥିଲେ । ନବୀନ ସମସ୍ତଙ୍କୁ ଭେଟିବା ସହ ନିର୍ବାଚନମଣ୍ଡଳୀରେ ଲୋକେ ଜିତାଇଛନ୍ତି ସେମାନଙ୍କ ପାଇଁ କାର୍ଯ୍ୟ କରିବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଦଳ କାହିଁକି ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା ତା’ର କାରଣ ଖୋଜିବା ପାଇଁ ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଗଠନ ହେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ସୋସିଆଲ ମିଡିଆରେ ଆସିଥିବା ଏକ ଭିଡିଓରେ ନବୀନ ବିଜେଡି ସରକାରର କାର୍ଯ୍ୟକାଳ ସମୟରେ କରିଥିବା ଉପଲବ୍ଧିର ହିସାବ ଦେଉଥିବା ଦେଖାଯାଇଛି। ସେ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ହେଲେ ଏବେ ଚିତ୍ର ବଦଳିଛି। ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି। ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରି ଆସିଛି। ଆଗକୁ ମଧ୍ୟ କରିବ। କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଏହାଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *