ଗୋଟିଏ ପଟେ ସବ୍-ଇନ୍ସପେକ୍ଟର୍ (SI) ବ୍ୟାଚ୍ ପ୍ରଶିକ୍ଷଣ ଶେଷ କରି ଓଡ଼ିଶା ପୋଲିସରେ ନିଯୁକ୍ତି ପାଉଥିବା ବେଳେ, ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ହଜାର ହଜାର ଆଶାୟୀ ଏବେ ବି ଅନିଶ୍ଚିତତାରେ ରହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ X ରେ ପୋଷ୍ଟ କରି ନବୀନ କହିଛନ୍ତି, ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ ଏସ୍ଆଇ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରେଡ୍ରେ ସଲାମୀ ଗ୍ରହଣ କରିଥିଲେ । ଦୁଇ ବର୍ଷର ପ୍ରଶିକ୍ଷଣ ଶେଷ କରି ୩୩୬ ଜଣ ଏସ୍ଆଇ ଅଧିକାରୀ ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି । ତେବେ ଏହି ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ପୂର୍ବତନ ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଦାବି କରିଛି ବିଜେଡି । ନବନିଯୁକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନ୍ୟାୟିକ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଲୋକଙ୍କ ସେବା ପାଇଁ ଦୃଢ଼ ସଙ୍କଳ୍ପର ସହ କାର୍ଯ୍ୟ କରିବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅନ୍ୟପକ୍ଷରେ, ପେପର୍ ଲିକ୍ ଯୋଗୁଁ ୨୦୨୫ରେ ବାତିଲ ହୋଇଥିବା ‘କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା’ କେବେ ପୁଣି ଅନୁଷ୍ଠିତ ହେବ, ସେନେଇ ସରକାର ସ୍ପଷ୍ଟ କରିବାକୁ ବିଜେଡି ଦାବି କରିଛି । ଏଥିସହ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ରେ ସମ୍ପୃକ୍ତ ଦୋଷୀଙ୍କୁ କେବେ କଠୋର ଦଣ୍ଡ ମିଳିବ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି । ବିଜେଡିର ଅଭିଯୋଗ ଅନୁସାରେ, ପରୀକ୍ଷା ବାତିଲ ଓ ପୁନଃଆୟୋଜନରେ ବିଳମ୍ବ ଯୋଗୁଁ ହଜାର ହଜାର ଯୁବକ-ଯୁବତୀଙ୍କ ପ୍ରାୟ ଏକ ବର୍ଷ ସମୟ ନଷ୍ଟ ହୋଇଛି । ଏହି ବିଳମ୍ବ ଆଶାୟୀଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିବା ସହ ସରକାରୀ ନିଯୁକ୍ତି ପ୍ରକ୍ରିୟାର ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ଭରସାକୁ ମଧ୍ୟ କ୍ଷତି ପହଞ୍ଚାଉଛି । ତେଣୁ ସରକାର ତୁରନ୍ତ କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା ପୁନଃଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏହା ସହିତ ସରକାରଙ୍କ ନିଯୁକ୍ତି ବ୍ୟବସ୍ଥାକୁ ନେଇ ମଧ୍ୟ ଦଳ ତୀବ୍ର ସମାଲୋଚନା କରିଛନ୍ତି । Post navigation Nuakhai Lagna Finalised: ସମ୍ବଲପୁରରେ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ