ଗୃହରେ ମାନ୍ୟବର ବିଧାୟକ ରାମଚନ୍ଦ୍ର କାଡାମଙ୍କ ଦ୍ବାରା ଆଗତ ମୁଲତବି ପ୍ରସ୍ତାବ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷର ଦରଦାମ ଆକାଶ ଛୁଆଁ । ସରକାର ନୀରବ ଦ୍ରଷ୍ଟା ଏଥିରେ ଉତ୍ତର ରଖି ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟ ଅଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ ଅନ୍ୟ ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣାଟକ, ରାଜସ୍ଥାନ, ଛତିଶଗଡ, ପଶ୍ଚିମବଙ୍ଗ, ଆଦି ରୁ ଡାଲି, ଖାଇବା ତେଲ,ଆଳୁ, ପିଆଜ ଇତ୍ୟାଦି ଆମଦାନୀ କରିଥାଏ । ଆନ୍ତର୍ଜାତୀୟ ବଜାରରେ ଦରଦାମ ପରିସ୍ଥିତି ଏବଂ ଯୋଗାଣ ପେଣ୍ଠ ଗୁଡିକର ଦର ବୃଦ୍ଧି ଓ ହ୍ରାସର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଥାଏ । ଚଳିତ ବର୍ଷର ପାଣିପାଗର ଅନିୟମିତତା ତଥା ପ୍ରତିକୂଳ ପାଗ ଯୋଗୁଁ ଦେଶରେ ବିଭିନ୍ନ ଡାଲିଜାତୀୟ ଦ୍ରବ୍ୟ ର ଆମଦାନୀ ପ୍ରାୟ ୧୦ ରୁ ୧୨ ପ୍ରତିଶତ ହ୍ରାସ ଘଟିଥିବାରୁ ଯୋଗାଣ ପେଣ୍ଠ ଗୁଡିକରେ ଏହାର ମୂଲ୍ୟ ବୃଦ୍ଧି ଘଟିଅଛି ଯାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଅଛି । ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ବ୍ୟବସାୟୀମାନଙ୍କର ବୈଠକ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯଥା ଚାଉଳ, ଡାଲି, ତେଲ, ଆଳୁ, ପିଆଜ ମୂଲ୍ୟ ତଥା ଲବ୍ଧତା ଉପରେ ତିକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ଗହମ ତଥା ଗହମ ଜାତୀୟଦ୍ରବ୍ୟ, ଆଳୁ, ପିଆଜ, ଡାଲି ଓ ଖାଇବା ତେଲର ଗଚ୍ଛିତ ପରିମାଣ ତଦାରଖ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଚଳିତ ବର୍ଷ ୧୩୩ ଜଣ ଖିଲପକରି ବ୍ୟବସାୟୀଙ୍କ ବିରୁଦ୍ଧରେ କେସ୍ କରାଯାଇ ୧୬୩୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସ୍ଥଳେ ୧୨ ଜଣଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଅଛି । ରାଜ୍ୟ ସରକାର ପ୍ରତ୍ୟହ ରାଜ୍ୟର ପ୍ରମୁଖ ବଜାରମାନଙ୍କରେ ପ୍ରଚଳିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ତଥା ଲବ୍ଧତା ଅନୁଧ୍ୟାନ କରୁଛନ୍ତି । ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଦରଦାମ ନିୟନ୍ତ୍ରଣ ପାଇଁ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ସମୟ ସମୟରେ ବୈଠକ କରାଯାଉଅଛି । ଏତଦ୍ ବ୍ୟତୀତ ରାଜ୍ୟର ମିଲର, ପାଇକାରୀ, ଖୁଚୁରା ବ୍ୟବସାୟୀମାନେ ଗହମ ତଥା ଗହମ ଜାତୀୟଦ୍ରବ୍ୟ ଡାଲି ଓ ଖାଇବାତେଲର ଗଚ୍ଛିତ ପରିମାଣ ସରକାରଙ୍କ ଦ୍ବାରା ପ୍ରଦତ୍ତ ପୋର୍ଟାଲରେ ଘୋଷଣା କରିବା ସଙ୍ଗେ ସଙ୍ଗେ ତାହା ବିଭାଗର କ୍ଷେତ୍ରକର୍ମଚାରୀମାନଙ୍କ ଦ୍ବାରା ତଦାରଖ କରାଯାଉଅଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ବର୍ତ୍ତମାନ ପିଆଜର ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଅନୁରୋଧ କ୍ରମେ କେନ୍ଦ୍ର ସରକାର NAFED ତଥା NCCF ମାଧ୍ଯମରେ କେଳି ପ୍ରତି ୩୫ ଟଙ୍କା ହିସାବରେ ଖାଉଟିମାନଙ୍କୁ ପିଆଜ ଯୋଗାଇ ଦେଉଛନ୍ତି । ମନ୍ତ୍ରୀ କହିଛନ୍ତି ଏତଦବ୍ୟତୀତ କଳାବଜାରୀ ତଥା ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମସ୍ତ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଯୋଗାଣ ବିଭାଗ ତଥା ବିପ୍ପଣୀ ଗୁପ୍ତବାର୍ଭା ଶାଖାର କ୍ଷେତ୍ରକର୍ମଚାରୀମାନଙ୍କ ଦ୍ବାରା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ନିୟମିତ ପ୍ରବର୍ତ୍ତନ କାର୍ଯ୍ୟ (Enforcement) କରାଯାଉଅଛି ଏବଂ ଏହା ସଙ୍ଗେ ସଙ୍ଗେ ଖାଉଟିମାନେ କିପରି ସୁଲଭ ମୂଲ୍ୟରେ ଜିନିଷ ପାଇ ପାରିବେ ତାହା ନିଶ୍ଚିତ କରାଯାଇଅଛି । ଗହମ ତଥା ଗହମ ଜାତୀୟଦ୍ରବ୍ୟ, ଆଳୁ, ପିଆଜ, ଡାଲି ଓ ତେଲର ଗଚ୍ଛିତ ପରିମାଣ ତଦାରଖ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ କିସମର ଢାଲି, ଗହମର ମହଜୁଦ ପରିମାଣ ସ୍ଥିର କରିଛନ୍ତି । Post navigation ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରଗରମ ବିଧାନସଭା କଳା ତାଲିକା ଭୁକ୍ତ କମ୍ପାନୀକୁ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି ରାଜ୍ୟ ସରକାର; ବିଜେଡି ଆଣିଲା ଦୁର୍ନୀତି ଅଭିଯୋଗ