ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଳି ଭୂସ୍ଖଳନ ସ୍ଥଳରେ ପ୍ରକୃତିର ଏହି ଭୟଙ୍କର ବିପର୍ଯ୍ୟୟ ପରେ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି ଦୁର୍ଘଟଣାସ୍ଥଳରେ ବିଭିନ୍ନ ବିଭାଗର ଉଦ୍ଧାରକାରୀ ଦଳ, ଅତ୍ୟାଧୁନିକ ବୈଷୟିକ ଉପକରଣ ଏବଂ ସ୍ଥାନୀୟ ଶ୍ରମିକମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏସଓଜି, ଓଡ୍ରାଫ୍ , ଏନ୍ଡିଆର୍ଏଫ୍ , ଅଗ୍ନିଶମ ସେବା, ରେଳବାଇ ବିଭାଗ ଏବଂ ପ୍ରାଣୀ ସମ୍ପଦ ବିଭାଗର ଅଭିଜ୍ଞ କର୍ମଚାରୀ ଓ ଅଧିକାରୀମାନଙ୍କୁ ମଇଦାନକୁ ଅଣାଯାଇଛି । ଏହାସହିତ ସନ୍ଧାନ କାର୍ଯ୍ୟକୁ ସହଜ କରିବା ପାଇଁ ପ୍ରଶିକ୍ଷିତ ସନ୍ଧାନୀ କୁକୁର ଯଥା ରକି , ଭିକି ଏବଂ ସୁଲତାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଘଟଣାସ୍ଥଳରେ ଏସଓଜି (Special Operations Group) ପକ୍ଷରୁ ୨ଟି ଟିମ୍ର ୪୨ ଜଣ ସଦସ୍ୟ ନିୟୋଜିତ ହୋଇଥିବାବେଳେ ଓଡ୍ରାଫ୍ ପକ୍ଷରୁ ଗୋଟିଏ ଟିମ୍ର ୧୫ ଜଣ ସଦସ୍ୟ କାର୍ଯ୍ୟ କରୁଛନ୍ତି। ସେହିପରି ଏନଡିଆରଏଫ୍ ପକ୍ଷରୁ ୨ଟି ଟିମ୍ର ୩୪ ଜଣ ସଦସ୍ୟ, ୪ ଜଣ ଅଧିକାରୀ ଏବଂ ୨ଟି ସନ୍ଧାନୀ କୁକୁର ରକି ଓ ଭିକିଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଯାଇଛି। ଏହା ସହିତ ଅଗ୍ନିଶମ ସେବା ପକ୍ଷରୁ ୩୫ଜଣ କର୍ମଚାରୀ,ଏବଂ ସୁଲତାନ ନାମକ ୧ଟି ସନ୍ଧାନୀ କୁକୁର, ରେଲବାଇ ବିଭାଗର ୩୫ ଜଣ କର୍ମଚାରୀ ଏବଂ ପ୍ରାଣୀ ସମ୍ପଦ ବିଭାଗର ୧ଟି ଟିମ୍ର ୧୨ ଜଣ ସଦସ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସମ୍ପୂର୍ଣ୍ଣ ନିୟୋଜିତ ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନକୁ ସଠିକ୍ ଓ ଦ୍ରୁତ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଯେପରିକି ୧ଟି ଜେନେରେଟର ସେଟ୍, ୨ଟି ଡ୍ରିଲ୍ ମେସିନ୍, ୧୦୦ଟି ବ୍ଲାଷ୍ଟିଂ ଜେଲାଟିନ୍ ସ୍ଟିକ୍, ୧ ଟି ଲାଇଫ୍ ଡିଟେକ୍ଟର ଏବଂ ୧ ଟି ରାଡାର୍ ଉପକରଣ ଆଦିର ବ୍ୟବହାର କରାଯାଉଛି. ଦୁର୍ଗମ ଅଞ୍ଚଳ ଏବଂ ଗଭୀର ମାଟି ଓ ପଥର ସ୍ତୂପକୁ ହଟାଇବାରେ ସ୍ଥାନୀୟ ଶ୍ରମିକମାନେ ମଧ୍ୟ ଉଦ୍ଧାରକାରୀ ଦଳକୁେ ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି । ପ୍ରଶାସନର ଏହି ସମନ୍ୱିତ ପ୍ରୟାସ ଏବଂ ଅତ୍ୟାଧୁନିକ ଉପକରଣଗୁଡ଼ିକର ସହାୟତାରେ ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । Post navigation Cyclone Murasu: ବାତ୍ୟା ମୁରାସୁ: ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ Sudhanshu Targets Rahul; Mum on Naveen: ରାହୁଲଙ୍କ ଉପରେ ଗରମ; ନବୀନଙ୍କ ଉପରେ ନରମ