ଭୁବନେଶ୍ୱର;୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି।

ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି। କୃଷକ, ଯୁବ ପିଢି଼, ମହିଳା ଓ ଗରିବ ବର୍ଗଙ୍କ ପାଇଁ ଏହି ଇସ୍ତାହାରକୁ ସମର୍ପିତ କରାଯାଇଛି। ଏଥିରେ ୨୧ ପ୍ରସ୍ତାବ ପାରିତ ହୋଇଛି। ଏହି ସମୟରେ ରାଜ୍ୟ ବିଜେପି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ।

‘ସଂକଳ୍ପପତ୍ର’ ଉନ୍ମୋଚନ ପରେ ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ୱ ବଢ଼ି ଯାଇଛି। ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ।

ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏବେ ଭାରତର ଅତି ଗରିବଙ୍କ ସଂଖ୍ୟା ୧%ରୁ ମଧ୍ୟ କମ୍‌ ବୋଲି ନଡ୍ଡା କହିଛନ୍ତି।ଲୋକ ଦାଦନ ପଳାଉଛନ୍ତି। ଏଠାକାର ସରକାରକୁ ଚିନ୍ତା ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ।ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ବର ୱାନ୍‌ ହୋଇଛି। ରେପ୍‌, ମର୍ଡରରେ ବିଜୁ ଜନତା ଦଳର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ହସ୍ପିଟାଲ କୋମାକୁ ଚାଲିଯାଇଛି ବୋଲି ନଡ୍ଡା କହିଛନ୍ତି ।

ନଡ୍ଡା ଆହୁରି କହିଛନ୍ତି, ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି। ‘ସଂକଳ୍ପରୁ ସିଦ୍ଧି’ ହିଁ ଆମର ଲକ୍ଷ୍ୟ। ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା। ଶ୍ରୀ ନଡ୍ଡା କହିଛନ୍ତି, ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। ହଜିଥିବା ଚାବିର ତଦନ୍ତ ହେବ। ରତ୍ନଭଣ୍ଡାର ଖୋଲାଯିବ। ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରିଚାଳନା କରାଯିବ ।

ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି ପ୍ରଣୟନ କରିବୁ। ଯାହାର ପଇସା ଯାଇଛି, ନିଶ୍ଚିତ ଆଦାୟ କରିବୁ। ଚିଟ୍‌ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଆମେ ଫେରାଇବୁ। ଖଣିଜରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ଲଗାଇବୁ। ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କରିବୁ। ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ମିଳିଯିବ। କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ନଡ୍ଡା କହିଛନ୍ତି।

ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନଡ୍ଡା। ସେ କହିଛନ୍ତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର ମିଳିବ। ୨ ବର୍ଷ ମଧ୍ୟରେ ଏନ୍‌କ୍ୟାସ କରିବେ। ପ୍ରତି ବଡ଼ ସହରରେ ଓଡ଼ିଶା ଭବନ ନିର୍ମାଣ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ନଡ୍ଡା କହିଛନ୍ତି। ବିଜେପି କ୍ଷମତାକୁ ଆସିଲେ ୪ଟି ଆଇଟି ପାର୍କ ନିର୍ମାଣ କରାଯିବ। ଭୁବନେଶ୍ୱ, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁରରେ ହେବ ଆଇଟି ପାର୍କ ନିର୍ମାଣ ହେବ।

ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ। ପିଏମ୍‌ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ। ଆୟୁଷ୍ମାନ ଭାରତ ଲାଗୁ କରିବୁ। ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ୩ ହଜାର ଟଙ୍କା କରିବୁ ବୋଲି ନଡ୍ଡା କହିଛନ୍ତି।

ବିଜେପି ସଂକଳ୍ପ ପତ୍ର
📌 ଓଡ଼ିଆ ପୁଅକୁ ମିଳିବ ଓଡ଼ିଶାରେ କାମ। ଦାଦନ ଦାଉରୁ ରକ୍ଷା ପାଇବ ଯୁବପିଢ଼ି ।
📌 ଅଣଓଡିଆଙ୍କ ଉପଦ୍ରବରେ ଲାଗିବ ଅଙ୍କୁଶ । ଓଡ଼ିଆ ବ୍ୟକ୍ତି ହାତରେ ନ୍ୟସ୍ତ ହେବ ଦାୟିତ୍ୱ ଭାର ।
📌 ମହିଳାଙ୍କୁ ମୋଦୀଙ୍କ ବଡ ଉପହାର। ସୁଭଦ୍ରା ଯୋଜନାରେ ମିଳିବ ୫୦ହଜାର ଭାଉଚର ।
📌 ଆଉ ରହିବ ନାହିଁ ଚାଳ ଛପର ଘର। ସବୁ ଗରିବଙ୍କୁ ଆବାସ ଯୋଜନାରେ ମିଳିବ ପକ୍କା ଘର ।
📌 ସହଜ ହେବ ଯାତାୟାତ। ନିର୍ମାଣ ହେବ ଅତିରିକ୍ତ ୭୫୦୦୦ କିମିର ଉଚ୍ଚ ମାନର ରାସ୍ତା ।
📌 ସ୍ୱାସ୍ଥ୍ୟ ସେବାରେ ଆସିବ କ୍ରାନ୍ତି। ସବୁ ଜିଲ୍ଲାରେ ହେବ ମେଡ଼ିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ।
📌 ଶିକ୍ଷାର ଗୁଣାତ୍ମକ ମାନ ହେବ ବୃଦ୍ଧି। ଖୋଲିବ ୮୦୦ ପିଏମଶ୍ରୀ ବିଦ୍ୟାଳୟ, ହସିବ ଓଡ଼ିଶାର ଭବିଷ୍ୟତ ।
📌 ଆଉ ପଡ଼ିଆ ପଡ଼ିବନି ଚାଷଜମି, ଆଉ ରହିବନି ମରୁଡ଼ି ଚିନ୍ତା । ସବୁ ଜମିକୁ ଜଳ ସେଚନର ସୁବିଧା ହେବ ଉପଲବ୍ଧ ।
📌 କ୍ଷୁଧା ମେଣ୍ଟାଇବ ଗରିବ କଲ୍ୟାଣ ଅନ୍ନ ଯୋଜନା। ଆଉ ପାଞ୍ଚ ବର୍ଷ ମିଳିବ ମାଗଣା ଚାଉଳ ।
📌 ଉଚିତ ଦାମରେ ଫସଲ ବିକିବେ ଚାଷୀ। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା  ମିଳିବ କୃଷକ ଭାଇକୁ। ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଆମେ ସଂକଳ୍ପବଦ୍ଧ ।
📌 ଜଳ କଷ୍ଟ ହେବ ଦୂର । ଓଡ଼ିଶାର ପ୍ରତିଘରେ ପହଞ୍ଚିବ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ।
📌 ପୂରଣ ହେବ ଖାଲି ଥିବା ସମସ୍ତ ସରକାରୀ ପଦବୀ। ନିଯୁକ୍ତି କ୍ଷେତ୍ରରେ ଆସିବ ସ୍ୱଚ୍ଛତା।

By SonaliP

Leave a Reply

Your email address will not be published. Required fields are marked *