ଓଡ଼ିଶାରେ ବୈଦେଶିକ ନିବେଶକୁ ଉତ୍ସାହିତ କରିବା ଏବଂ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତ ଅବସରରେ ଦୁବଇଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରମୁଖ ଶିଳ୍ପପ୍ରତିନିଧିଙ୍କ ସହ ସାକ୍ଷାତ କରି ଓଡ଼ିଶାରେ ଥିବା ନିବେଶର ସୁଯୋଗ, ଶିଳ୍ପ ଅନୁକୂଳ ପରିବେଶ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ୱାନ୍-ଅନ୍-ୱାନ୍ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭିନ୍ନ କ୍ଷେତ୍ରରେ ନୂତନ ସହଭାଗିତା ସ୍ଥାପନ କରିବା ଏବଂ ଓଡ଼ିଶାରେ ନିଜର ଶିଳ୍ପ ପ୍ରସାର କରିବା ପାଇଁ ଆଲୋଚନା କରାଯାଇଛି।

ରାଜ୍ୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ “ସମୃଦ୍ଧ ଓଡ଼ିଶା” ଗଠନ ଲକ୍ଷ୍ୟରେ ଏହି ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଓଡ଼ିଶାର ଭିତ୍ତିଭୂମି, ପ୍ରଚୁର ପ୍ରାକୃତିକ ସମ୍ପଦ, ଦକ୍ଷ ଶ୍ରମଶକ୍ତି ଏବଂ ସରକାରଙ୍କ ସରଳ ଶିଳ୍ପ ନୀତି ବିଷୟରେ ଜଣାଇଛନ୍ତି। ଧାତୁ ଓ ଖଣିଜ, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି, ଲଜିଷ୍ଟିକ୍ସ, ଟେକ୍ସଟାଇଲ୍ ଏବଂ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିବେଶ ପାଇଁ ଆଲୋଚନା ହୋଇଛି। ୟୁଏଇର ପ୍ରମୁଖ କମ୍ପାନୀଗୁଡ଼ିକ ଓଡ଼ିଶାରେ ନିଜର ବ୍ୟବସାୟ ପ୍ରସାର କରିବା ସହ ନୂଆ ସହଭାଗିତା ସ୍ଥାପନ ପାଇଁ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ନିବେଶ ମାଧ୍ୟମରେ ରାଜ୍ୟର ଯୁବବର୍ଗଙ୍କ ପାଇଁ ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

‘ନିବେଶ ଓଡ଼ିଶା’ ଏବଂ ‘ସମୃଦ୍ଧ ଓଡ଼ିଶା’ ଅଭିଯାନ ଅଧୀନରେ ଆୟୋଜିତ ଏହି ସମ୍ମିଳନୀ ଆଗାମୀ ଦିନରେ ରାଜ୍ୟର ଅର୍ଥନୀତିକୁ ଆହୁରି ମଜବୁତ କରିବ।

Leave a Reply

Your email address will not be published. Required fields are marked *