ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ସୁଶୀଲ ମେହେର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୬-୨୭ ବର୍ଷ ଧନୁଯାତ୍ରାରେ ସେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଗତବର୍ଷ ତାଙ୍କ ଅଭିନୟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ମାନସିକ ଅଶାନ୍ତି ଯୋଗୁଁ ସେ ଗୋଟିଏ ବର୍ଷ ପାଇଁ ଅବ୍ୟାହତି ନେବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ୨୦୨୫-୨୬ ବର୍ଷ ଧନୁଯାତ୍ରା ପାଇଁ ସୁଶୀଲ ମେହେର କଂସ ଭୂମିକାରେ ଅଭିନୟ କରିବାକୁ ଚୟନ ହୋଇଥିଲେ । ନିୟମ ଅନୁଯାୟୀ, ଚୟନ ହୋଇଥିବା କଳାକାର ତିନି ବର୍ଷ ପର୍ଯ୍ୟନ୍ତ ଏହି ଭୂମିକାରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥାନ୍ତି । ତେବେ ଗତ ଧନୁଯାତ୍ରାରେ ତାଙ୍କ ଅଭିନୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ବିବାଦ ଦେଖାଦେଇଥିଲା । ନିକଟରେ ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଥମ ବୈଠକରେ ବିଭିନ୍ନ କମିଟି ପକ୍ଷରୁ ସୁଶୀଲଙ୍କୁ କଂସ ଭୂମିକାରୁ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା । ଏ ସମ୍ପର୍କରେ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ଜଣାଇବାକୁ ସମିତି କହିଥିଲା । କିନ୍ତୁ ଏହା ପୂର୍ବରୁ ସୁଶୀଲ ନିଜେ ଅଭିନୟରୁ ଗୋଟିଏ ବର୍ଷ ପାଇଁ ଅବ୍ୟାହତି ନେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କଂସ ଭୂମିକାରେ ଅଭିନୟ କରି ଜନସାଧାରଣଙ୍କଠାରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇ ସେ ଗର୍ବିତ । ତାଙ୍କୁ ପରିବର୍ତ୍ତନ ନକରିବା ପାଇଁ ମଧ୍ୟ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ଦାବି କରୁଥିବା ସେ ଗଣମାଧ୍ୟମରୁ ଜାଣିଛନ୍ତି । ଭବିଷ୍ୟତରେ ଧନୁଯାତ୍ରା ମହୋତ୍ସବ ସମିତି ପୁନର୍ବାର ସୁଯୋଗ ଦେଲେ ସେ ତାହାକୁ ଗ୍ରହଣ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । Post navigation Row Over Remarks Against PM Modi: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ: ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି Warns Against Fake Cyclone Forecasts: ବାତ୍ୟାକୁ ନେଇ ଭ୍ରାନ୍ତ ଖବର ପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଏସ୍.ଆର୍.ସି.