ରାଜ୍ୟ ରାଜନୀତିରେ ବଡମ୍ବା ନିର୍ବାଚନ ମଣ୍ଡଳୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତୃତୀୟ ପର୍ଯ୍ୟାୟରେ ଏଠି ସରିଛି ମତଦାନ। ହେଲେ ଏଥର ବଡମ୍ବାରେ ଇତିହାସ ବଦଳିବ ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷ ଧରି ଏଠାରେ ଗାଦି ସମ୍ଭାଳିଥିବା ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ ନେଇ ଖୁସି ନାହାନ୍ତି ବଡମ୍ବାବାସୀ। ଛଅ ଛଅ ଥର ବିଧାୟକ ରହିବା ପରେ ମଧ୍ୟ ପାନୀୟଜଳ, ରାସ୍ତା, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସମସ୍ୟା ଏବେ ବି ରହିଛି ବଡମ୍ବାର ଗାଁ ଗାଁ ରେ। ଗୋଟିଏ କୃଷି ପ୍ରବଣ ଅଞ୍ଚଳ ହୋଇଥିଲେ ହେଁ ଏଠାରେ ଶୀତଳ ଭଣ୍ଡାର ନଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ବଡମ୍ବା ଚାଷୀ। ଚାଷ ଛାଡ଼ି ଗାଁ ଗାଁର ଭେଣ୍ଡିଆ ପୁଅ କାମ କରି ଯାଉଛି କେରଳ। ଯାହାକୁ ନେଇ ଦେବୀଙ୍କ ଉପରେ ଲୋକଙ୍କ ପ୍ରବଳ ରାଗ ବୋଲି କୁହାଯାଉଛି।

ସବୁଠୁ ବଡ଼ ରାଗ ହେଉଛି ଦେବୀଙ୍କ ସମୟରେ ବଡମ୍ବା ଚିନିକଳ ବନ୍ଦ ହେବା। ଏହି ଚିନିକଳ କେବଳ ଚାଷୀ ନୁହେଁ ଅନେକ ମଧ୍ୟବିତ୍ତ ଗରିବ ପରିବାରଙ୍କ ଭାତ ହାଣ୍ଡି ଥିଲା। ଅନ୍ୟ ପକ୍ଷେ ଦେବୀଙ୍କ ବାଟରେ କଣ୍ଟା ହୋଇଛିନ୍ତି ସ୍ଵାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓରଫ ମୁନା ଦଳବେହେରା। ମୁନାଙ୍କ ପ୍ରତି ବଡ଼ମ୍ବାରେ ଆକୁଣ୍ଠ ଜନ ସମର୍ଥନ ଦେଖିବାକୁ ମିଳିଛି। ଏଠାରେ ଜନତା ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସାହାଯ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା। ବିଜୟ ଦଳବେହେରା ୨୦୧୯ ରେ ବିଜେପି ପ୍ରାର୍ଥୀ ହୋଇ ହାରିଥିଲେ ସତ ହେଲେ ଦେବୀଙ୍କୁ କଡା ଟକର ଦେଇଥିଲେ। ବିଜୟ ୭୨,୫୪୫ ଭୋଟ ପାଇଥିବା ବେଳେ ଦେବୀ ୯୦,୫୬୪ ଭୋଟ ପାଇଥିଲେ।

ତେବେ ଏଥର ବିଜେପି ସେଠାରେ ବିଜୟଙ୍କୁ ଟିକେଟ ନଦେଇ ଦଳର ପ୍ରଭାବ ଶାଳୀ କେନ୍ଦ୍ରମନ୍ତ୍ରୀଙ୍କ ଅନୁଗତକୁ ଟିକେଟ ଦେଇଛି। ଯାହା ବଡ଼ମ୍ବାରେ ବିଜେପି ପରାଜୟର ବଡ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ମୁନା ଦଳ ବେହେରା ଏଥର ବିଜେଡି,ବିଜେପି ଓ କଂଗ୍ରେସ ସହ ନିଜ ପକେଟ ଭୋଟ ପାଇ ଏକ ନୂଆ ସମୀକରଣ ସୃଷ୍ଟି କରିବେ ବୋଲି କୁହାଯାଉଛି। ଏହାସହ ୧୯୯୫ ରୁ ବିଧାୟକ ହୋଇ ଆସିଥିବା ଦେବୀ ମିଶ୍ର ଏଥର ପରାଜିତ ହୋଇ ନୂଆ ଇତିହାସ ଲେଖିବେ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ।

By Nirvay

Leave a Reply

Your email address will not be published. Required fields are marked *