ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ବିଜେପି ଅଭିଯୋଗ କରିଛି ଯେ ବିଜେଡି ନିର୍ବାଚନ ଜିତିବା ପାଇଁ SVEEP ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅଧିକାରୀ, ସରକାରୀ କଳ ଏବଂ ଜନଶକ୍ତିଙ୍କୁ ଖୋଲାଖୋଲି ଭାବରେ ଅପବ୍ୟବହାର କରି ଆଚରଣବିଧି ଉଲଙ୍ଘନ କରୁଛି।

ଏଥରେ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନ ଜଡ଼ିତ ରହୁଥିବା ବିଜେପି ଅଭିଯୋଗ କରିଛି। ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ଏହା ଅତ୍ୟନ୍ତ ନିନ୍ଦା ଓ ଲଜ୍ଜ୍ୟାର ବିଷୟ ଯେ, ଜଣେ ଆଇଏଏସ୍ ଅଧିକାରୀ ହୋଇ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନ ନିଜର କର୍ତ୍ତବ୍ୟ ଭୁଲି ସ୍ଵାମୀଙ୍କ ବଳରେ ବଳିଆନା ହୋଇ ବିଜେଡିର ଏଜେଣ୍ଟ ସାଜିଛନ୍ତି। ଓଡ଼ିଶା ସରକାର ୭୦ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତିରେ ଯୋଡି ସଶକ୍ତ କରୁଥିବାର ଦାବି କରୁଥିଲେ ହେଁ ଏହାର ବାସ୍ତବ ରୂପ ହେଉଛି ସଂଗଠନର ମହିଳାମାନେ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନ ପ୍ରରୋଚନାରେ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି।

SVEEP କାର୍ଯ୍ୟକ୍ରମ ନିର୍ବାଚନ ଅଧିକାରୀଙ୍କ ଏକ ଦୂରଦର୍ଶୀ ଫ୍ଲାଗସିପ କାର୍ଯ୍ୟକ୍ରମ ଅଟେ , ଯାହାର ଉଦ୍ଦେଶ୍ୟ ମତଦାତା ଶିକ୍ଷା, ସଚେତନତା କରିବା ଏବଂ ପୁରା ଭାରତରେ ମତଦାନ ଶିକ୍ଷାର ବିସ୍ତାର କରିବା। ଏହି କାର୍ଯ୍ୟକ୍ରମ ସରକାରୀ ବିଭାଗ ଦ୍ଵାରା ସହଭାଗିତାରେ କାର୍ଯ୍ୟକରୁଛି। କିନ୍ତୁ ଏହାର ଦୁରୁପଯୋଗ କରୁଛି ବିଜେଡି ଏବଂ ମିଶନ ଶକ୍ତି ମହିଳାଙ୍କୁ ପଦାଧିକାରୀମାନେ ସରକାରୀ ଆର୍ଥିକ ଲାଭରୁ ବଞ୍ଚିତ କରିବା ନେଇ ଧମକ ଦେଉଥିବା ନଜରକୁ ଆସିଛି। ଏହା ଖୁଲମ ଖୁଲା ଆଚରଣ ବିଧି ଉଲଙ୍ଘନ କରୁଛି।

ଏଭଳି କରି ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ୨୦୨୪ ନିର୍ବାଚନ ପ୍ରଭାବିତ କରିବା ପାଇଁ ବିଜେଡି ଏକ ପ୍ରକାର ଫନ୍ଦି କରିଥିବାର ବିଜେପି ଅଭିଯୋଗ କରିଛି। ମତଦାତା ଶିକ୍ଷା ଓ ସଚେତନତା ଆଢ଼ୁଆଳରେ ବିଭାଗୀୟ ସଚିବ ଓ ବିଜେଡି ଏଭଳି କରୁଥିବାର ବିଜେପି ଅଭିଯୋଗ କରିଛି। ତେବେ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିର୍ବାଚନ ନ ସରିବା ଯାଏଁ ଜନସାଧାରଣ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖାଯାଉ’ ବୋଲି ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି।

By Nirvay

Leave a Reply

Your email address will not be published. Required fields are marked *