ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତୃତୀୟଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ ଅଶେଷ ଶକ୍ତି ପ୍ରଦାନ କରିଛି । ଦଳକୁ ଜିତାଇ ମୋଦିଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ ଆସନରେ ଅଳଙ୍କୃତ କରିବାକୁ ଅଧିବେଶନରେ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଛନ୍ତି ଏବଂ ତାକୁ ତୃଣମୂଳ ଓ ବୁଥ୍‌ସ୍ତର ପର୍ଯ୍ୟନ୍ତ ନେବେ ବୋଲି ନିଷ୍ପତି ନେଇଛନ୍ତି । ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ସମ୍ପୂର୍ଣ୍ଣ ରଣନୀତି ନେଇ ଆଲୋଚନା ହୋଇଛି । ନବୀନ ବାବୁଙ୍କ ଭ୍ରଷ୍ଟାଚାର ଶାସନକୁ ଆସନ୍ତା ନିର୍ବାଚନରେ ସମୁଳେ ଧ୍ୱଂସ କରି “ଡବଲ ଇଞ୍ଜିନ ସରକାର” ଗଠନ କରିବେ ଓଡ଼ିଶାବାସୀ । ରାଜ୍ୟରେ ୨୪ବର୍ଷରେ ନବୀନ ଯାହା କରିନାହାନ୍ତି ଶାସନକୁ ଆସିଲେ ୫ବର୍ଷରେ ବିଜେପି ତାହା କରିଦେଖାଇବ ବୋଲି ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଅଧିବେଶନର ଉଦ୍‌ଯାପନ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

ଦୁଇ ଦିନିଆ ଅଧିବେଶନରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାଦିଜୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରିବେ ବୋଲି ଯେଉଁ ବିଶ୍ୱାସ ଦେଇଛନ୍ତି ତାହାକୁ ଦଳର ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହିତ ଆଗକୁ ନେବେ । ଓଡ଼ିଶାକୁ ପ୍ରତିକ୍ଷେତ୍ରରେ ବିକଶିତ କରିବାକୁ ବିଜେପି ସଂକଳ୍ପବଦ୍ଧ । ୧୦ବର୍ଷ ହେଲା ମୋଦିଜୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଦେଶରେ ଦାରିଦ୍ର‌୍ୟହାର ବହୁ ପରିମାଣରେ କମିଛି ଏବଂ ୨୫କୋଟି ଗରିବ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି । ଭାରତବର୍ଷ ଅର୍ଥନୈତିକ ଶକ୍ତିରେ ବିଶ୍ୱରେ ପଞ୍ଚମ ସ୍ଥାନକୁ ଉନ୍ନିତ ହୋଇପାରିଛି । ଯାହା ସାରା ବିଶ୍ୱରେ ଏକ ଚର୍ଚ୍ଚିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଇଁ ରାଷ୍ଟ୍ରନୀତି ହେଉଛି ରାଜନୀତିଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ । ସବୁରି କ୍ଷେତ୍ରରେ ଦେଶକୁ ଚରମ ଶିଖରରେ ପହଂଚାଇବା ପାଇଁ ମୋଦିଜୀ ନିଷ୍ଠାର ସହ ପ୍ରୟାସରତ ଅଛନ୍ତି । ତାଙ୍କ ଏହି ଅଭିପ୍ସାକୁ ଦଳର ପ୍ରତିଟି ନେତା ଏବଂ କାର୍ଯ୍ୟକର୍ତା ନିଶ୍ଚିତ ପୂରଣ କରି ଦେଖାଇବେ ବୋଲି  ସାମଲ କହିଛନ୍ତି ।

ଏଥର ବିଜେପି ବିକାଶ ସହ ରାଷ୍ଟ୍ରୀୟତା, ଭାରତୀୟତା ଏବଂ ଦେଶଭକ୍ତିକୁ ଆଧାର କରି ଆସନ୍ତା ସାଧାରଣ ନିର୍ବାଚନ ଲଢିବ । ଯେଉଁ ବିରୋଧୀ ବା ବିପକ୍ଷ ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବା ବିଦେଶୀ ନିର୍ଦ୍ଦେଶନାମାରେ ଚାଲିଛନ୍ତି ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ । ଏଥର ନିର୍ବାଚନରେ ଦଳର ସ୍ଳୋଗାନ “ଫିର୍ ଏକବାର ମୋଦି ସରକାର, ଓଡିଶାରେ ବିଜେପି ସରକାର” ରହିବ । ଓଡ଼ିଶାରେ ବିଜେପି ବହୁମତରେ ସରକାର ଗଠନ କରୁ ବୋଲି ରାଜ୍ୟର ସାଧାରଣ ଜନତା ଚାହୁଛନ୍ତି । ତେଣୁ ଗଣତନ୍ତ୍ରରେ ଲୋକେ ଯାହା ଚାହୁଁଛନ୍ତି ତାକୁ ଆମ ଦଳ ସମ୍ମାନ ଦେବ । ଭ୍ରଷ୍ଟ ତଥା ଦୁର୍ନୀତିପୂର୍ଣ୍ଣ ଶାସନ ସମାପ୍ତ ହେଉ ବୋଲି ସମସ୍ତେ ଚାହାନ୍ତି । ମୋଦିଜୀ ଓଡ଼ିଶାକୁ ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ହିସାବ ଏଯାଏଁ ରାଜ୍ୟ ସରକାର ଦେଇପାରୁନାହାନ୍ତି । ଯାହା ରାଜ୍ୟ ସରକାରଙ୍କ ଭ୍ରଷ୍ଟ ଶାସନକୁ ପ୍ରମାଣିତ କରିଛି । ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଥାନ୍ତା ତାହାଲେ ଓଡ଼ିଶାର ଚିତ୍ର ଆଜି ବଦଳି ଯାଇଥାନ୍ତା । ତେଣୁ ଏପରି ନିକମା ସରକାରକୁ ହଟାଇ ମୋଦିଙ୍କ ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବା ହେବ ବିଜେପିର ପ୍ରାଥମିକତା । ବିଜେପି ସରକାରକୁ ଆସିଲେ ରାଜ୍ୟର ଅଗଣିତ ଗରିବ ଜନତା ଯେଉଁ ୪୦ଲକ୍ଷ ଟଙ୍କା ଚିଟ୍‌ଫଣ୍ଡରେ ହରାଇଥିଲେ ତାହାକୁ ଦଳ ଫେରସ୍ତ କରିବ ବୋଲି ସାମଲ କହିଛନ୍ତି ।

ଏହି ରାଷ୍ଟ୍ରୀୟ ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *