ଭୁବନେଶ୍ୱର: ସମଗ୍ର ଦେଶରେ ପ୍ରଥମ ଥର ପାଇଁ ସବୁଠୁ ବଡ ମାତ୍ରାରେ କଳା ଟଙ୍କା ଜବତ୍ ହେବା ଘଟଣାକୁ ଆଜି ମାସେ ପୁରିଲା । ଓଡିଶାରେ ଜଣେ ମଦ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗ ତରଫରୁ ରେଡ୍ କରାଯାଇ ୩୫୦କୋଟିରୁ ଉର୍ଦ୍ଧ୍ୱ କଳାଟଙ୍କା ସମେତ ପ୍ରଚୁର ମାତ୍ରାରେ ସୁନା, ରୁପା, ହୀରା ଜବତ୍ କରାଗଲା । ସମଗ୍ର ଦେଶରେ ଓଡିଶାକୁ ନିନ୍ଦିତ କରିଥିବା ଏହି ଘଟଣାରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାଁନ୍ତି, ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ବାସ୍ତବରେ ବିଜେଡିର ଦଳୀୟ ଚାନ୍ଦା ପାଇଁ ଏହି କଳାଟଙ୍କା ଗଚ୍ଛିତ ରଖାଯାଇଥିଲା ଏବଂ ଏହି କାରଣରୁ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜବତ୍ ହୋଇଥିବା ୩୫୦ କୋଟି ଟଙ୍କା କାହାର ? ମଦ ମାଫିଆ ସାହୁ ବ୍ରଦର୍ସଙ୍କ ସହ ବିଜେଡିର ସଂପର୍କ କ’ଣ ? ନଗଦରେ ମହୁଲ କିଣିବା ପାଇଁ ଏବଂ ରାଜ୍ୟ ସରକାରଙ୍କ ମଦ ନୀତି ପାଇଁ ଟଙ୍କା ଗଚ୍ଛିତ ରଖାଯାଇଥିଲା ବୋଲି ମଦ ବେପାରୀ ସ୍ପଷ୍ଟୀକରଣ ଦେଇଛନ୍ତି । ଯଦି ମହୁଲ ଚାଷୀଙ୍କ ବକେୟା ଟଙ୍କା ଅଛି ତାହା ତୁରନ୍ତ ପ୍ରଦାନ କରାଯାଉ । କିନ୍ତୁ କେଉଁ ସରକାରୀ ପଲିସି ପାଇଁ କଳାଟଙ୍କା ଗଚ୍ଛିତ ଥିଲା, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଆବଶ୍ୟକ । ଏପରିକି “ଏସ୍‌ଆଇଟି ଅନ୍ ବ୍ଲାକ ମନି” ଦ୍ୱାରା ତଦନ୍ତ କରିବା ପାଇଁ ନିଜକୁ ସ୍ୱଚ୍ଛ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ବିହୀତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ଘରୋଇ ଡାକ୍ତରଖାନାକୁ ଅହେତୁକ ଅନୁକମ୍ପା କାରଣରୁ ଦୁଇ ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଭୁବନେଶ୍ୱରସ୍ଥିତ ଘରୋଇ ହାଇଟେକ୍ ମେଡିକାଲ କଲେଜରେ ଗତ ୭ ଦିନ ଧରି ଦୁର୍ଘଟଣା ଜନିତ ଚିକିତ୍ସିତ ହେଉଥିବା ଏବଂ ମୃତକଙ୍କ ପରିଚୟ ମିଳିନପାରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଘରୋଇ ଡାକ୍ତରଖାନାର ହେୟଜ୍ଞାନ ଏବଂ ପୋଲିସ୍ ପ୍ରଶାସନର ଦାୟୀତ୍ୱହୀନତା କାରଣରୁ ଜଣଙ୍କ ମୃତ ଶରୀରକୁ ଅନ୍ୟ ଜଣଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି, ଯାହାକି ଏକ ଗର୍ହିତ ଓ ଅକ୍ଷମଣୀୟ ଅପରାଧ । ଅତୀତରେ ରାଜ୍ୟର ଗୋଟିଏ ଘରୋଇ ମେଡିକାଲରେ ନିଆଁ ଲାଗିବା ଘଟଣାରେ ମେଡିକାଲର ମାଲିକଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ହାଇଟେକ୍‌ରେ ମାଲିକ ବିଜେଡିର ହୋଇଥିବାରୁ ଏଯାଏଁ ଗିରଫ କରାଯାଇନାହିଁ । ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଉଭୟ ମେଡିକାଲ କଲେଜ କର୍ତୃପକ୍ଷ ଏବଂ ପୋଲିସ୍ ପ୍ରଶାସନ ବିରୁଦ୍ଧରେ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରାଯିବା ଉଚିତ୍ । ଏଥି ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୁରଣ ରାଶି ଦେବା ସହିତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *