ସାମ୍ୱାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି ବିଜେପି । ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚିଲିକାର ବିଧାୟକ ତଥା ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ । ରାଜସୁନାଖଳାର ନିର୍ଦ୍ଦିଷ୍ଟ ବୁଥ୍‌ରେ ଭୋଟିଂ ଚାଲିଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବ ପହଂଚିଥିଲେ । ଶ୍ରୀ ଜଗଦ୍ଦେବ ୩.୪୫ରେ ବୁଥ୍‌ରେ ଭୋଟ ଦେବାକୁ ପ୍ରବେଶ କରିଥିଲେ । ସେଠାରେ ପୂର୍ବରୁ ବିଜେଡି କର୍ମୀମାନେ ଯୋଜନାବଦ୍ଧ ଭାବେ ଉପସ୍ଥିତ ରହି ଶ୍ରୀ ଜଗଦ୍ଦେବଙ୍କ ଫସାଇବା ପାଇଁ ଚକ୍ରାନ୍ତ କରିଥିଲେ । ଏଥିସହ ବିଜେପି ସାଂସଦ ଓ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ ।

ଖୋର୍ଦ୍ଧା ଏସ୍‌ଡିପିଓ ଦିଲୀପ ଦାସ ସେଠାରେ ଖଣି ମାଫିଆ ଭାବରେ ପ୍ରସିଦ୍ଧ । ଏସ୍‌ଡିପିଓ ଶ୍ରୀ ଦାସ ମଧ୍ୟ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଅପରାଧୀ ଭଳି ବ୍ୟବହାର କରିଛନ୍ତି । ପୋଲିସ ମୁଖ୍ୟାଳୟରୁ ଏହା ମନିଟରିଂ କରାଯାଉଥିଲା । ୪ଟା ୩୦ରେ ୩ଟି ପୋଲିସ ଗାଡି ଅପରାଧୀଙ୍କ ଭଳି ସାଂସଦ ଗାଡିକୁ ଅଟକାଇଥିଲେ ।

ବିଜେପିର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାର ବାରଣ୍ଡାରେ ବସେଇ ଅତ୍ୟାଚାର କରାଯାଇଛି । ଏମିତିକି ପରିବାର ଲୋକଙ୍କୁ ଭେଟିବାକୁ ଦେଇନଥିଲେ । ଏଭଳି ଘଟଣା ପଛରେ ଏସଡିପିଓଙ୍କ ସମ୍ପୂର୍ଣ୍ଣ ହାତ ରହିଛି । ବିନା ପ୍ରମାଣରେ ଅପରାଧୀ ଭଳି ବିଧାୟକଙ୍କୁ ବ୍ୟବହାର କରିବା ଏସଡିପିଓ ନୀତି ଓ ନିୟମ ଉଲଘଂନ କରିଛନ୍ତି । ଏଥିସହ ଶାସକ ଦଳର କର୍ମୀ ଭଳି ଏସଡିପିଓ କାର୍ଯ୍ୟ କରିବା ସହ ଅନୁଶାସନ ଭାଙ୍ଗି ବିଜେଡି ପାଇଁ କାମ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ପୂର୍ବରୁ ଯୋଜନା କରିଥିଲା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବ ବୋଲି । ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ । ଯଦି ଶ୍ରୀ ଜଗଦ୍ଦେବ ଦୋଷୀ ତାହାଲେ ସିସିଟିଭି ଭିଡିଓକୁ ସାର୍ବଜନୀନ କରାଯାଉ । ଜଣେ ବିଧାୟକଙ୍କୁ ଏଭଳି ଗିରଫ କରିବା ଅତ୍ୟନ୍ତ ନିନ୍ଦନିୟ ଏବଂ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ବରିଷ୍ଠ ପୋଲିସ ଅଧିକାରୀ ଡି.ଏସ୍ କୁଟ୍ଟେ ଏବଂ ଏସଡିପିଓ ଶ୍ରୀ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ତାଙ୍କର କଲ୍ ରେଡର୍କ ଯାଂଚ କରାଯାଉ । ପୋଲିସକୁ ଆୟୁଧ କରି ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ପ୍ରାର୍ଥୀ ଶ୍ରୀ ଜଗଦ୍ଦେବଙ୍କୁ ଜୋର ଜବରଦସ୍ତ ଏକ ମିଥ୍ୟା ମକଦ୍ଦମାରେ ଫସେଇ ଦିଆଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *