ଭୁବନେଶ୍ୱର: ନୟାଗଡର ନାବାଳିକା ଝିଅ ପରୀର ହତ୍ୟା ମାମଲାକୁ ଚାପି ଦେବା ପାଇଁ ଚେଷ୍ଟା କରୁଥିବା ବିଜୁ ଜନତା ଦଳ ସରକାରର ମୁଖା ଆଜି ଖୋଲିଛି । ମାନ୍ୟବର ଅଦାଲତଙ୍କର ଆଜିର ରାୟ ପ୍ରମାଣିତ କରୁଛି କିଭଳି ଏହି ମାମଲାକୁ ବିଜୁ ଜନତା ଦଳ ଚାପିବା ପାଇଁ ଚେଷ୍ଟା କରୁଥିଲା । ଏକ ଜଘନ୍ୟ ହତ୍ୟାକାଣ୍ଡର ଅପରାଧୀକୁ ଖସାଇ ଦେବା ପାଇଁ ଯେଉଁ ଚେଷ୍ଟା ଚାଲୁଥିଲା ତାହା ଉପରୁ ଆଜି ପରଦା ଉଠିଛି । ଜୁଲାଇ ୧୪, ୨୦୨୦ରେ ପରୀର ହତ୍ୟା ହୋଇଥିଲା । ତାଙ୍କ ପରିବାର ବାରମ୍ବାର ପୋଲିସରେ ଅଭିଯୋଗ କରିବା ସତ୍ୱେ ସେହି ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ପରେ ଏହାର ଏହା ୪ ମାସ ୧୦ ଦିନ ପରେ ପରୀର ମା ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ଯାଇ ରାଜ୍ୟ ପୋଲିସ ସେହି ମାମଲାରେ ମୋକଦ୍ଦମା ରୁଜୁ କରିଲା । ଗୋଟିଏ କୁନି ଝିଅର ହତ୍ୟା ଭଳି ସମ୍ବେଦନଶୀଳ ଘଟଣାରେ ୧୩୦ ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ହିଁ ପ୍ରମାଣିତ କରୁଛି ଓଡିଶାର ଆଇନ ଶୃଙ୍ଖଳାର ସ୍ଥିତି ଓ ବିଜୁ ଜନତା ଦଳ ସରକାରର ମାନସିକତା । ଯେଉଁମାନେ ଆଜି ବିଜେପିକୁ ପ୍ରଶ୍ନ କରୁଛନ୍ତି ସେମାନେ ପ୍ରଥମେ ନିଜ ମୁଁହକୁ ଆଇନାରେ ଦେଖିବା ସହିତ ତାଙ୍କ ନବିନ ବାବୁଙ୍କ ଗୃହ ବିଭାଗ ଅଧୀନରେ ଥିବା ପୋଲିସର କାର୍ଯ୍ୟକଳାପକୁ ଦେଖିଲେ ଭଲ ହୁଅନ୍ତା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ପରୀ ପାଇଁ ନ୍ୟାୟ ଯାତ୍ରା ରାଜଧାନୀ ଭୁବନେଶ୍ୱରରୁ ନୟାଗଡ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲା । ବିଧାନସଭାରେ ଏହି ପ୍ରସଙ୍ଗକୁ ବିଜେପିର ବିଧାୟକମାନେ ଉଠାଇଥିଲେ । ଯାହା ଫଳରେ ସରକାର ବାଧ୍ୟ ହୋଇ ଏସଆଇଟି ଗଠନ କରିଥିଲେ । ହତ୍ୟାକାଣ୍ଡର ୫ ମାସ ପରେ ହିଁ ରାଜ୍ୟ ପୋଲିସ ଅପରାଧୀକୁ ଧରିଥିଲା । ଗୋଟିଏ ହତ୍ୟାକାଣ୍ଡର ଅଭିଯୁକ୍ତ ପାଖରେ ପହଂଚିବା ପାଇଁ ଓଡିଶା ପୋଲିସକୁ ୫ ମାସ ସମୟ ଲାଗିବା କେଉଁ ପାରିବା ପଣିଆ ? ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ଆଗରୁ ମୁହଁ ଖୋଲି ଆସିଛି ଓ ଭବିଷ୍ୟତରେ ମଧ୍ୟ ଖୋଲିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏବେ ବି ପରୀର ମା ଓଡିଶା ପୋଲିସ ଉପରେ ସବୁ ଦୋଷ ଦେଉଛନ୍ତି । ବିଜେଡି ବିଧାୟକ ଅରୁଣ ସାହୁ ଓ ବାବୁଲି ନାୟକ ସେହି ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ବୋଲି ଆଜି ମଧ୍ୟ ମୃତା ପରୀର ମା ଗଣମାଧ୍ୟମରେ କହିଛନ୍ତି । ଏକଥା ବିଜୁ ଜନତା ଦଳର ବିଧାୟିକା ସ୍ନେହାଙ୍ଗିନି ଛୁରିଆ ଶୁଣିଛନ୍ତି କି ନାହିଁ ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା । ସେମାନେ କେବେ ଗିରଫ ହେବେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *