ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଡାକିଛନ୍ତି। ବିଧାନସଭା ଆରମ୍ଭ ପୂର୍ବରୁ ଆଜି ୧୧ଟା ୩୦ରେ ବସିବ ସର୍ବଦଳୀୟ ବୈଠକ । ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପୂର୍ବରୁ ଗୃହର କାର୍ଯ୍ୟକାରିତାକୁ ଶୃଙ୍ଖଳିତ କରିବା ପାଇଁ ବାଚସ୍ପତି ଉଭୟ ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଏବଂ ବିଭିନ୍ନ ଦଳର ସଚେତକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ ସେପ୍ଟେମ୍ବର ୨୬ ଶୁକ୍ରବାର ଦିନଟିକୁ ବେସରକାରୀ ସଦସ୍ୟଙ୍କ ବିଲ୍ ଓ ସଂକଳ୍ପ ପାଇଁ ନିର୍ଦ୍ଧାରଣ କରାଯାଇଥିବା ବେଳେ ବାକି ଅଧିକାଂଶ ଦିନଗୁଡ଼ିକରେ ସରକାରୀ କାର୍ଯ୍ୟ ସମ୍ପାଦିତ ହେବ।

ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ବିଜେଡି ଆଜି ସନ୍ଧ୍ୟା ୫ଟାରେ ନିଜର ବିଧାୟକ ଦଳ ବୈଠକ ଡକାଇଥିବା ବେଳେ କଂଗ୍ରେସ ବିଧାୟକ ଦଳ ଆସନ୍ତାକାଲି ସକାଳେ ରଣନୀତି ସ୍ଥିର କରିବ। ବିଶେଷ କରି ଖଣି ଓ ଖଣିଜ ସଂଶୋଧନ ଆଇନ, ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ମୁଦ୍ରଣ ତ୍ରୁଟି ଏବଂ ରାଜ୍ୟର ସାମ୍ପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାକୁ ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।

ଅନ୍ୟପଟେ, ସୁରକ୍ଷା ଦୃଷ୍ଟିରୁ ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଛଳରେ ବ୍ୟାପକ ଆରକ୍ଷୀ ବଳୟ ସୃଷ୍ଟି କରାଯାଇଛି।

 

Leave a Reply

Your email address will not be published. Required fields are marked *